ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ୨୦୨୨ ମସିହା ଡିସେମ୍ବର ୨୫ ତାରିଖ ସୁଦ୍ଧା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ପ୍ରାୟ ୬.୩୧ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘରୋଇ ଡାକ୍ତରଖାନାରେ ଉଚ୍ଚମାନର ଚିକିତ୍ସା ଯୋଗାଇ ଦିଆଯାଇଛି। ରାଜ୍ୟ ସରକାର ସେମାନଙ୍କ ଚିକିତ୍ସା ପାଇଁ ସାମୁହିକ ଭାବେ ଘରୋଇ ଡାକ୍ତରଖାନାଗୁଡ଼ିକୁ ପ୍ରାୟ ୧୩୮୯ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସୋମବାର ଏକ ସମୀକ୍ଷା ବୈଠକ କରି ସୂଚନା ଦେଇଛନ୍ତି।

ସ୍ଵାସ୍ଥ୍ୟ ମିତ୍ରମାନଙ୍କୁ ଓଡ଼ିଶାର ସୁଦୂର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ବିଏସକେୱାଇ ଅଧୀନରେ ଦିଆଯାଉଥିବା ସମସ୍ତ ସୁବିଧା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ଓ ସେମାନଙ୍କ ପରିଜନମାନେ ଯୋଜନା ଅଧୀନରେ ଆସୁଥିବା ନିଜ ପସନ୍ଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଟୋଲ୍ ଫ୍ରି ନମ୍ବର ୧୦୪ ଦ୍ଵାରା ପୂର୍ବ ଯୋଗାଯୋଗ କରିପାରୁଛନ୍ତି। ସେମାନେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ସମ୍ବନ୍ଧୀୟ ସମସ୍ୟାକୁ ୧୫୫୩୬୯ ନମ୍ବରରେ କଲ୍ କରି ସମାଧାନ କରିପାରୁଛନ୍ତି। ଯୋଜନା ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟକୁ ଏହି ବୈଠକରେ ଆଲୋଚନା କରାଯାଇଛି।

“୨୦୨୨ ମସିହାରେ ଓଡିଶାର ସମସ୍ତ ଜିଲ୍ଲାର ରୋଗୀମାନେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି। ଯୋଜନା ମୁତବକ ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କୁ ଟେଲିଫୋନିକ୍ କଲ ମାଧ୍ୟମରେ ପରାମର୍ଶ ଦିଆଯାଇଥିଲା। ଏହି ଡାକ୍ତରଖାନାଗୁଡ଼ିକରେ ରାଜ୍ୟ ସରକାରଙ୍କ ଦ୍ଵାରା ନିୟୋଜିତ ସ୍ଵାସ୍ଥ୍ୟ ମିତ୍ରମାନେ ରୋଗୀଙ୍କୁ ସହାୟତା କରୁଛନ୍ତି। ରୋଗୀମାନେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରଦାନ କରାଯାଉଥିବା ମୋଟ ୨୦୫୬  କ୍ଲିନିକାଲ୍ ପ୍ୟାକେଜ୍ ମାଧ୍ୟମରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି”, କହିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ  ନିଶ୍ଚିତତା ସୋସାଇଟିର ସିଇଓ ଡାକ୍ତର ବୃନ୍ଦା ଡି.।

Tags: #Bijuswasthykalyanyojana #BSKY #6.31benificiaries #2022 #Healthsecretary #salinipandit #Healthdept. #Odisha

Comment