ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଉପଲବ୍ଧ ହେଉଥିବା ଘରୋଇ ହସ୍ପିଟାଲ ସଂଖ୍ୟାରେ ବୃଦ୍ଧି ଘଟିଛି। ଏବେ ସୁଦ୍ଧା ଏହି ଯୋଜନାରେ ୬୮୧ଟି ଘରୋଇ ହସ୍ପିଟାଲ ସାମିଲ ହୋଇଛନ୍ତି। ଏଥିମଧ୍ୟରୁ ୫୫୫ଟି ହସ୍ପିଟାଲ ଓଡ଼ିଶାରେ ଓ ୧୨୬ଟି ରାଜ୍ୟ ବାହାରର ହସ୍ପିଟାଲ ରହିଛନ୍ତି। ଏହି ହସ୍ପିଟାଲଗୁଡ଼ିକରେ ରୋଗୀମାନଙ୍କ ସହାୟତା ପାଇଁ ୬୬୮ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏନେଇ ବିଏସକେୱାଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।

ବିଏସକେୱାଇ ଯୋଜନାରେ ଓଡ଼ିଶା ଛଡ଼ା ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିଲନାଡୁ ଆଦି ରାଜ୍ୟର ହସ୍ପିଟାଲଗୁଡ଼ିକ ମଧ୍ୟ ସାମିଲ ହୋଇଛି। ଏହି ହସ୍ପିଟାଲଗୁଡ଼ିକରେ ବିଏସକେୱାଇ କାର୍ଡଧାରୀମାନେ ମାଗଣା ସ୍ଵାସ୍ଥ୍ୟସେବା ପାଇ ପାରୁଛନ୍ତି।

ଭାରତରେ ଥିବା ଶ୍ରୀ ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ ଓ ନାରାୟଣ ହୃଦୟାଳୟ ଭଳି ବିଶ୍ୱସ୍ତରୀୟ ହସ୍ପିଟାଲଗୁଡ଼ିକରେ ମଧ୍ୟ ବିଏସକେୱାଇ ଯୋଜନାର ସୁବିଧା ମିଳୁଛି।

ଏହି ହସ୍ପିଟାଲଗୁଡ଼ିକରେ ବିଏସକେୱାଇ ଯୋଜନା ଅନ୍ତର୍ଗତ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୬୧୪ ଜଣ ସ୍ୱାସ୍ଥ୍ୟ ମିତ୍ର ଓ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ରୋଗୀ ସେବା ପାଇଁ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ କାର୍ଯ୍ୟରତ ଅଛନ୍ତି।

ସେହିପରି ବିଏସକେୱାଇ ଯୋଜନାରେ ସମୁଦାୟ ବ୍ୟବସ୍ଥାକୁ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି। ଏହି ପୋର୍ଟାଲରେ ବିଏସକେୱାଇ ଯୋଜନା ଉପଲବ୍ଧ ହେଉଥିବା ହସ୍ପିଟାଲଗୁଡ଼ିକ ବିଷୟରେ ସୂଚନା ମଧ୍ୟ ଦିଆଯାଇଛି। ଓଡ଼ିଶା ବାହାରେ ରହୁଥିବା ବିଏସକେୱାଇ କାର୍ଡଧାରୀମାନେ ଏହି ସୂଚନା ଆଧାରରେ ଚିକିତ୍ସା ପାଇଁ ପରାମର୍ଶ ନେଇପାରୁଛନ୍ତି।

ପୂର୍ବରୁ ବିଏସକେୱାଇ ଯୋଜନା ପାଇଁ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ହସ୍ପିଟାଲଗୁଡ଼ିକର ବିଭିନ୍ନ ବିଭାଗ, ସେଠାରେ ମିଳୁଥିବା ରୋଗୀ ସେବା ବିଷୟରେ ସମୀକ୍ଷା କରିବାକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସେମାନଙ୍କୁ ବିଏସକେୱାଇ କାର୍ଡଧାରୀ ରୋଗୀଙ୍କୁ ହସ୍ପିଟାଲରେ ପଞ୍ଜିକରଣ, ଆଡମିସନ ତଥା ଡିସଚାର୍ଜ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ କୁହାଯାଇଥିଲା।

ଏହା ଛଡ଼ା ବିଏସକେୱାଇ ଯୋଜନାର ନୋଡାଲ ଅଧିକାରୀମାନେ ନିୟମିତଭାବେ ହସ୍ପିଟାଲଗୁଡ଼ିକ ସହ ହ୍ଵାଟ୍ସଆପ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଯୋଜନା ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଦେଉଛନ୍ତି।

Tags: #BSKY #FreeHealthcareService #PrivateHospitals #H&FWDept

 

Comment