ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରାଜ୍ୟର ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସେମାନେ ଆଉ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଆଇନ ରାଜ୍ୟର ବିଭିନ୍ନ ଡାକ୍ତରଖାନ ତଥା ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରୁଥିବା ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ଲାଗୁ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିଲାଗି ଏହି ‘ଏସମା’ ଲାଗୁ ହୋଇଛି। ଏହି ଆଇନ ୬ ମାସ ଯାଏଁ ବଳବତ୍ତର ରହିବ।

ଏସମା ଲାଗୁ ହେବା ଫଳରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଆନ୍ଦୋଳନ କରିବା ଉପରେ ରୋକ୍ ଲାଗିବା ସହ ସେମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବା ଛୁଟି ମଧ୍ୟ ମିଳିପାରିବ ନାହିଁ। ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଭଳି କିଛି ସମସ୍ୟା ପାଇଁ ସେମାନେ ଅଧିକ ଦିନ ଛୁଟି ନେଇପାରିବେ।  

ଓଡ଼ିଶା ଅତ୍ୟାବଶ୍ୟକ ସେବା ନିୟମ ୧୯୮୮ର ଧାରା ୩ ଅନୁସାରେ ଏହି ଏସମା ଲାଗୁ କରାଯାଇଛି। ଏହାକୁ ଉଲଂଘନ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରବଧାନ ରହିଛି।

ଏହାପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଏସମା ଲାଗୁ କରିଥିଲେ। ଏଥିଲାଗି ସେତେବେଳେ ନର୍ସ ଓ ଫାର୍ମାସିଷ୍ଟଙ୍କ ପ୍ରସ୍ତାବିତ ଆନ୍ଦୋଳନ ଉପରେ ରୋକ୍ ଲାଗିଥିଲା।

Tags: #HealthcareWorkers #ESMA #ProtestBan #H&FWDept #Odisha

Comment