ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନର୍ସିଂ, ଫାର୍ମାସି ତଥା ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ବର୍ଦ୍ଧିତ ଷ୍ଟାଇପେଣ୍ଡ ରାଶି ଅନୁଯାୟୀ ଡି ଫର୍ମା ଛାତ୍ରଛାତ୍ରୀଙ୍କୁ ୫୦୦ ଟଙ୍କା ମିଳିବ। ପୂର୍ବରୁ ସେମାନଙ୍କୁ ମାସିକ ୨୫୦ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ସେହିପରି ଏଏନଏମ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡକୁ ୧,୦୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବଢ଼ାଯାଇଛି।

ଅନ୍ୟପଟେ ବି.ଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨,୫୦୦ ଟଙ୍କାରୁ ୫,୦୦୦ ଟଙ୍କା କରାଯାଇଛି। ଏହାସହ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକାଟ୍ରିକ୍ସରେ ଏମଫିଲ କରୁଥିବା ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ପୂର୍ବରୁ ସେମାନଙ୍କୁ ମାସିକ ୭,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା।

ରାଜ୍ୟର ସ୍ୱାସ୍ଥ୍ୟସେବାରେ ଉପରୋକ୍ତ ଛାତ୍ରଛାତ୍ରୀଙ୍କ ଯୋଗଦେବାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ଷ୍ଟାଇପେଣ୍ଡ ବଢ଼ାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ନର୍ସିଂ ତଥା ଫାର୍ମାସି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା ନେଇ ଦାବି ହୋଇ ଆସୁଥିଲା।    

ରାଜ୍ୟର ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ନର୍ସିଂ, ଫାର୍ମାସି ତଥା ଆଲାଏଡ ମେଡିକାଲ ପାଠ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରିଚାଳିତ କରେ। ଏହି ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଡାକ୍ତରଖାନା ତଥା ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ଲିନିକାଲ ସେବା ମଧ୍ୟ ପ୍ରଦାନ କରନ୍ତି। ଏଥିପାଇଁ ସେମାନଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିଥାଏ।       

Tags: #MedicalStudents #HealthcareServices #H&FWDept #Odisha   

Comment