ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ବ୍ୟାପିଥିବା ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ସୋମବାର ଏଥିରେ ଆକ୍ରାନ୍ତ ହୋଇ ପୁଣି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୪ ଦିନ ମଧ୍ୟରେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଲାଣି। ସେହିପରି ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଡାଇରିଆ ଆକ୍ରାନ୍ତ ସହରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।   

ରାଉରକେଲା ସରକାରୀ ଡାକ୍ତରଖାନାରେ ସର୍ବାଧିକ ୧୩୬ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ଶିଶୁ ରହିଛନ୍ତି। ଝାଡ଼ାବାନ୍ତି ମାମଲା ବଢ଼ୁଥିବାରୁ ସହରର ଡାକ୍ତରଖାନାଗୁଡ଼ିକ ଉପରେ ଅଧିକ ଚାପ ପଡ଼ୁଛି। ଏଥିପାଇଁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି।

ରାଉରକେଲାର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନି, ପାନପୋଷ, ବାଲୁଘାଟ ଆଦି ଅଞ୍ଚଳରେ ଅଧିକ ଡାଇରିଆ ବ୍ୟାପିଥିବା ଦେଖିବାକୁ ମିଳିଛି।

ତେବେ ପାଇପଯୋଗେ ଯୋଗାଣ ହେଉଥିବା ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବାର ଚର୍ଚ୍ଚା ହେଉଥିବାବେଳେ ୱାଟକୋ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଖରାପ ପାଣି ପାଇପକୁ ମରାମତି କରାଯାଉଛି। ତେବେ ଝାଡ଼ାବାନ୍ତିର କାରଣ ଜାଣିବା ପାଇଁ ମାକ୍ରୋ ବାୟୋଲୋଜିକାଲ୍‌ ରିପୋର୍ଟ ଆସିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସମୀକ୍ଷା କରାଯାଉଛି।

ଅନ୍ୟପଟେ ସହରର କଲୋନି ଓ ବସ୍ତିରେ ଲୋକମାନଙ୍କୁ ସଚେତନ କରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏହାସହ ଜଳ ସାଥୀ, ଆଶାକର୍ମୀ ଓ ଅନ୍ୟ କର୍ମଚାରୀମାନେ ଘରେ ଘରେ ବୁଲି ପାଣିର ନମୁନା ସଂଗ୍ରହ କରୁଛନ୍ତି। ସେହିପରି ସହରର ହୋଟେଲ, ରେସ୍ତୋରାଁ ଓ ଫାଷ୍ଟଫୁଡ୍‌ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି।

ତେବେ ରାଉରକେଲାରେ ଡାଇରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରାଯାଉଛି। ଏଥିପାଇଁ ସହରରେ ପାଇପଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପଠାଯାଇଛି। ଏହାସହ ଡାଇରିଆର ଅନ୍ୟାନ୍ୟ କାରଣ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଉଛି।  

Tags: #Rourkela #Diarrhea #Death #Health #H&FWDept #Odisha

 

Comment