ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୂଆ ରୂପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା
  • ଉପକୃତ ହେବେ ରାଜ୍ୟର ସାଢ଼େ ତିନି କୋଟି ଲୋକ
  • ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା
  • ପରିବାର ପାଇଁ ବାର୍ଷିକ ପାଞ୍ଚ ଲକ୍ଷ ଓ ମହିଳାଙ୍କ ପାଇଁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସୁବିଧା

ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ନୂଆ ରୂପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।ନୂଆ ରୂପରେ ଲାଗୁ ହେବାକୁ ଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟର ୯୬ ଲକ୍ଷ ପରିବାର, ସାଢ଼େ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ। ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ ଆଦି ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯିବ।

ଏଥିରେ ଗୋଟିଏ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଓଡ଼ିଶା ସମେତ ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍‌ପିଟାଲରେ ଏହି ବ୍ୟବସ୍ଥା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡଧାରୀମାନେ ଚିକିତ୍ସା ସୁବିଧା ପାଇ ପାରିବେ।୭୫ତମ ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନୂଆ ରୂପରେ ଲାଗୁ ହେବାକୁ ଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରି କହିଥିଲେ, ସାରା ଓଡ଼ିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ। ତେଣୁ ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ରାଜ୍ୟର ଆର୍ଥିକ ଅନଗ୍ରସର ପରିବାରକୁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆର୍ଥିକ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ କରିଥିଲେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା। ସେତେବେଳେ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ସ୍ଵାସ୍ଥ୍ୟ ବୀମା ଓ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ରହିଥିଲା।

Comment