ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର (ସିଆଇଏସଫ) ମହାନିର୍ଦେଶକ ହୋଇଛନ୍ତି ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଧିକାରୀ ନୀନା ସିଂହ। ପ୍ରଥମ ମହିଳା ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ ସେ ସିଆଇଏସଫର ଅତିରିକ୍ତ ମହାନିର୍ଦେଶକ (ଏଡିଜି) ଭାବେ ଦାୟିତ୍ଵ ତୁଲାଉଥିଲେ।

୧୯୮୯ ବ୍ୟାଚର ଆଇପିଏସ୍ ଅଧିକାରୀ ନୀନା ସିଂହ ୨୦୨୪ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସିଆଇଏସଫର ମହାନିର୍ଦେଶକ ରହିବେ। ସେ ସିଆଇଏସଫର ପୂର୍ବତନ ମହାନିର୍ଦେଶକ ଶିଳ୍ପବର୍ଦ୍ଧନ ସିଂହଙ୍କ ସ୍ଥାନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନୀନା ସିଂହ ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଏହି ସୁରକ୍ଷା ସଂସ୍ଥାର ଏଡିଜି ହୋଇଥିଲେ।  

ବିହାରରେ ଜନ୍ମ ଗ୍ରହଣ କରିଥିବା ନୀନା ସିଂହ ପାଟନା ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିଲେ। ଏହାପରେ ସେ ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟ ଓ ହାଭାର୍ଡ ବିଶ୍ଵବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ପିଜି କରିଥିଲେ।

ଏହାପରେ ସେ ୟୁପିଏସସି ପରୀକ୍ଷା ପାସ କରି ୧୯୮୯ରେ ରାଜସ୍ଥାନ କ୍ୟାଡର୍ ଆଇପିଏସ୍ ଅଧିକାରୀ ହୋଇଥିଲେ। ୨୦୦୦ ମସିହାରେ ସେ ରାଜସ୍ଥାନ ମହିଳା କମିଶନର ସଚିବ ହୋଇଥିଲେ। ଏହାପରେ ୨୦୧୩ରୁ ୨୦୧୮ ଯାଏଁ ସିବିଆଇର ଯୁଗ୍ମ ନିର୍ଦେଶକ ଭାବେ ଦାୟିତ୍ଵ ତୁଳାଇଥିଲେ। ତାଙ୍କ ସ୍ଵାମୀ ରୋହିତ କୁମାର ସିଂହ ଜଣେ ଆଇଏଏସ୍ ଅଧିକାରୀ ଓ ଏବେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Tags: #IPSNinaSingh #DirectorGeneral #CISF #ParamilitaryForce #India

Comment