ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହୋଇଛି। କେପଟାଉନରେ ଖେଳାଯାଉଥିବା ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବଡ଼ ବ୍ୟାଟିଂ ବିପର୍ଜୟର ସାମ୍ନା କରିଛି। ଟିମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଦଳ ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଛି। ଏହି ଇନିଂସରେ ଭାରତର ମହମ୍ମଦ ସିରାଜ ସର୍ବାଧିକ ୬ଟି ୱିକେଟ ହାସଲ କରିଛନ୍ତି।

ଦ୍ଵିତୀୟ ଟେଷ୍ଟରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଅଧିନାୟକ ଡିନ୍ ଏଲଗାର ଓ ଏଡେନ ମାରକ୍ରମ ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ବୋଲିଂ ଆରମ୍ଭ କରିଥିଲେ।

ପ୍ରଥମ ଇନିଂସର ଚତୁର୍ଥ ଓଭରରେ ମହମ୍ମଦ ସିରାଜଙ୍କ ବଲକୁ ଖେଳିବାକୁ ଯାଇ ଏଡେନ ମାରକ୍ରମ କ୍ୟାଚ ଆଉଟ ହୋଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା। ମାତ୍ର ୨୩.୨ ଓଭରରେ ଦଳ ୫୫ ରନ କରି ଅଲଆଉଟ୍ ହୋଇଥିଲା। ଏହା ଭାରତ ବିପକ୍ଷରେ କୌଣସି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର।

ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଓ ଅନ୍ୟ ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟିଂ ଲାଇନଅପ ଫିକା ପଡ଼ିଯାଇଥିଲା। ଏହି ଇନିଂସରେ ମହମ୍ମଦ ସିରାଜ ମାତ୍ର ୧୫ ଦେଇ ୬ଟି ୱିକେଟ ହାସଲ କରିଥିଲେ। ସେହିପରି ଯଶପ୍ରୀତ ବୁମରା ଓ ମୁକେଶ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ।

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ହାରିବା ପରେ ଭାରତ ଦ୍ଵିତୀୟ ଟେଷ୍ଟରେ ନିଜର ବୋଲିଂ ଉପରେ ବିଶେଷ ଧ୍ୟାନ ଦେଇଛି। ଏହି ଟେଷ୍ଟରେ ଆର ଅଶ୍ଵିନ ଓ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ରବୀନ୍ଦ୍ର ଜଡେଜା ଓ ମୁକେଶ କୁମାରଙ୍କୁ ଦଳରେ ସାମିଲ କରାଯାଇଛି।

ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଏବେ ଭାରତ ବ୍ୟାଟିଂ ଆରମ୍ଭ କରିଛି। ଏଥିରେ ଅଧିକରୁ ଅଧିକ ରନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିବ ଟିମ୍ ଇଣ୍ଡିଆ। ଏହି ଦ୍ଵିତୀୟ ଟେଷ୍ଟ ମ୍ୟାଚଟି ରବିବାର ଯାଏଁ ଚାଲିବ।

Tags: #India-SouthAfricaTest #TestCricket #BCCI #Sports #SouthAfrica    

Comment