ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଗୁରୁବାର ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। ୫ ଦିନର ଟେଷ୍ଟକୁ ମାତ୍ର ଦେଢ଼ ଜିତି ନେଇଛି ଭାରତୀୟ ଦଳ। ୭ ୱିକେଟରେ ଏହି ଟେଷ୍ଟ ବିଜୟ ସହ ସିରିଜ ଡ୍ର କରିଛି ଭାରତ। ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବାବେଳ ଯଶପ୍ରୀତ ବୁମରା ‘ପ୍ଲେୟାର ଅଫ ଦି ସିରିଜ’ ହୋଇଛନ୍ତି। କେପଟାଉନରେ ଖେଳାଯାଇଥିବା ଟେଷ୍ଟରେ ଏହା ଭାରତର ପ୍ରଥମ ବିଜୟ।

ଦ୍ଵିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ହେଲେ ପ୍ରଥମ ଇନିଂସରେ ଭାରତୀୟ ବୋଲିଂ ଆଗରେ ମାତ୍ର ୫୫ ରନରେ ଧରାଶାୟୀ ହୋଇଥିଲା ଘରୋଇ ଦଳ। ଏହାପରେ ଭାରତ ପ୍ରଥମ ଇନିଂସରେ କେବଳ ୧୫୩ ରନ କରି ୯୮ରେ ଆଗୁଆ ରହିବାରେ ସକ୍ଷମ ହେଲା।

ସେହିପରି ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଖେଳ ଶେଷ ସୁଦ୍ଧା ଦଳ ୬୨ ରନ କରି ୩ ୱିକେଟ ହରାଇଥିଲା। ଏହାପରେ ଗୁରୁବାର ଦଳ ମୋଟ ୧୭୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୭୯ ରନର ବିଜୟଲକ୍ଷ୍ୟ ରହିଲା।

ଦ୍ଵିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରମ ସର୍ବାଧିକ ୧୦୬ ରନ କରିଥିବାବେଳେ ଦଳର ଅନ୍ୟ ଖେଳାଳିମାନେ କିଛି ଖାସ କରିପାରିନଥିଲେ। ଏହି ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୬ଟି ୱିକେଟ ନେଇଥିଲେ।

ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦେଇଥିବା ୭୯ ରନର ଟାର୍ଗେଟକୁ ଭାରତ ୩ ୱିକେଟ ହରାଇ ଖୁବ ସହଜରେ ହାସଲ କରିଥିଲା। ଏହି ମ୍ୟାଚରେ ଉଭୟ ଦଳର ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ଗୋଟିଏ ଇନିଂସ୍ ଓ ୩୨ ରନରେ ଶୋଚନୀୟ ଭାବେ ପରାସ୍ତ କରିଥିଲା।

Tags: #India-SouthAfricaTest #TestCricket #BCCI #Sports #SouthAfrica   

  

Comment