ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାର ଡିଏନଏ ରିପୋର୍ଟ ଆସିବା ପରେ ମୃତଦେହ ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଅଁଙ୍ଗ ଗାଁରେ ପହଞ୍ଚିବା ପରେ ବୁଧବାର ଦିନ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଏପଟେ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ବିରୋଧରେ ଏତଲାର ଦେଇଛନ୍ତି ମୃତ ଦିଲ୍ଲୀପଙ୍କ ମା’ ଅହଲ୍ୟା ସାମନ୍ତରାୟ। ମୃତକୁ ଜୀବିତ ଏବଂ ଜୀବିତଙ୍କୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବା ତଥା ଡାକ୍ତରଖାନା କର୍ତ୍ତୃକ୍ଷପଙ୍କ ଦାୟିତ୍ଵହୀନତା ଯୋଗୁଁ ତାଙ୍କ ବୋହୂ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ମୃତ ଦିଲ୍ଲୀପଙ୍କ ମା’। ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅହଲ୍ୟା।

୨୦୨୩  ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୩୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। ପରିବାର ଲୋକେ ଦିଲ୍ଲୀପଙ୍କ ମୃତଦେହ ନେଇ ସଂସ୍କାର କାର୍ଯ୍ୟ କରିଥିଲେ। ଦିଲ୍ଲୀପଙ୍କର ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ଆତ୍ମହତ୍ୟା କଲେ।

ଆଶ୍ଚର୍ଯ୍ୟ ଭାବେ ଜାନୁଆରି ୪ ତାରିଖରେ ଜଣାପଡ଼ିଥିଲା ଦିଲ୍ଲୀପ ସାମନ୍ତରାୟ ମୃତ ନୁହଁନ୍ତି। ଜ୍ୟୋତିରଞ୍ଜନ ମଲ୍ଲିକ ଭାବି ଯାହାଙ୍କର ଚିକିତ୍ସା କରାଯାଉଥିଲା ସେ ପ୍ରକୃତକରେ ଦିଲ୍ଲୀପ ସାମନ୍ତରାୟ ବୋଲି ଜଣାପଡ଼ିଥିଲା। ଦିଲ୍ଲୀପ ଭାବି ଯେଉଁ ଶବ ସତ୍କାର କରାଯାଇଥିଲା ତାହା ଜ୍ୟୋତିରଞ୍ଜନ ମଲ୍ଲିକଙ୍କର ବୋଲି ଜଣାପଡ଼ିଥିଲା। ଜ୍ୟୋତିରଞ୍ଜନଙ୍କୁ ମୃତ କିମ୍ବା ଜୀବିତ ଅବସ୍ଥାରେ ଫେରାଇ ଦେବାକୁ ତାଙ୍କ ପରିବାର ଲୋକେ ଦାବି କରିଥିଲେ। ଏହାକୁ ନେଇ ଟଣାଓଟରା ଚାଲିଥିଲା ବେଳେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିବା ଆହତଙ୍କର ମୃତ୍ୟୁ ହୋଇଥିଲା।

ବିସ୍ଫୋରଣ ଯୋଗୁଁ ମୁହଁ ଚିହ୍ନିବା ସମ୍ଭବପର ହେଉନଥିବାରୁ ମୃତଙ୍କ ଅସଲ ପରିଚୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯାଇଥିଲା। ଡିଏନଏ ରିପୋର୍ଟ ଆସିବା ପରେ ମୃତକ ଦିଲ୍ଲୀପ ସାମନ୍ତରାୟ ବୋଲି ସ୍ପଷ୍ଟ ହୋଇଥିଲା।

Tags: #HiTechHospital #Death #DeathMystery #Bhubaneswar #DNAReport#GasExplosion #Odisha #DillipSamantaray

Comment