ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ବୁଧବାର ସକାଳେ ଗୋଟିଏ ଯାତ୍ରାପାର୍ଟି ଟ୍ରକ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁତ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାର ଶିକାର ହୋଇଥିବା ଟ୍ରକଟି ଧଉଳି ଗଣନାଟ୍ୟର। ଏହି ଟ୍ରକ୍‌ରେ ଯାତ୍ରାପାର୍ଟିର ଲାଇଟ ସରଞ୍ଜାମ ନିଆଯାଉଥିଲା। ଏଥିରେ ପ୍ରାୟ ୧୪ ଜଣ କର୍ମଚାରୀ ଥିଲେ। ଯାତ୍ରା ସାରି ଟ୍ରକଟି ମୟୂରଭଞ୍ଜ ରାଇରଙ୍ଗପୁରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଭିମୁଖେ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିଲା। ସକାଳୁ ସକାଳୁ ଦ୍ଵାରଶୁଣୀ ଘାଟିରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିଲା।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ, ପୋଲିସ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Tags: #Accident #Mayurbhanj #DwarsuniGhati #Death #Odisha

Comment