ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ ମ୍ୟାଚ। ବିଶାଖାପାଟଣାରେ ଏହି ମ୍ୟାଚ ଖେଳାଯିବ। ତେବେ ପ୍ରଥମ ଟେଷ୍ଟରେ ହାରିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ପଛୁଆ ରହିଛି। ଏବେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରୁ ଆହତ କାରଣରୁ କିଛି ପ୍ରମୁଖ ଖେଳାଳି ବାଦ ପଡ଼ିବା ଚିନ୍ତାର ବିଷୟ ପାଲଟିଛି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବିରାଟ କୋହଲି ଓହରିଥିବାବେଳେ ଆହତ କାରଣରୁ ପ୍ରମୁଖ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶାଖାପାଟଣା ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ସେହିପରି ଦଳର ବୋଲିଂକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ବିଶାଖାପାଟଣା ଟେଷ୍ଟରେ ଟିମ୍ ଇଣ୍ଡିଆରେ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ୍, ଶ୍ରେୟସ ଆୟର ଓ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଏହାସହ ରବିଚନ୍ଦ୍ରନ ଅଶ୍ଵିନ, କୁଲଦୀପ ଯାଦବ, ଅକ୍ଷର ପଟେଲଙ୍କ ଭଳି ଖେଳାଳିଙ୍କ ସ୍ପିନ ବୋଲିଂ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି କୁହାଯାଉଛି।

ଅନ୍ୟପଟେ ଇଂଲଣ୍ଡର ଅଭିଜ୍ଞ ସ୍ପିନର ଜ୍ୟାକ୍‌ ଲିଚଙ୍କ ଦ୍ଵିତୀୟ ମ୍ୟାଚରେ ଖେଳିବା ସମ୍ଭାବନା କମ୍‌ ରହିଛି। ପ୍ରଥମ ମ୍ୟାଚରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଆହତ ହୋଇଥିଲେ।

୨୮ ରନରେ ପ୍ରଥମ ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଜୋରଦାର ଅଭ୍ୟାସ କରିଛି। ଇଂଲଣ୍ଡର ସ୍ପିନ ବୋଲରଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟରମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି।

ଭାରତ ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ସହ ୫ଟି ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ହୋଇଥିବାବେଳେ ଦ୍ଵିତୀୟଟି ବିଶାଖାପାଟଣାରେ ହେବ। ଏହାପରେ ରାଜକୋଟ, ରାଞ୍ଚି ଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଅନ୍ୟ ୩ଟି ମ୍ୟାଚ ଖେଳାଯିବ। ମାର୍ଚ୍ଚ ୧୧ ତାରିଖରେ ଟେଷ୍ଟ ସିରିଜ୍ ସରିବ।

Tags: #IndiavsEnglandTestSeries #TestCricket #Vishakhapatnam #BCCI #Sports #India

LEAVE A REPLY

Please enter your comment!
Please enter your name here