ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ‘ଆମ ବସଷ୍ଟାଣ୍ଡ’ ଯୋଜନା ଅନ୍ତର୍ଗତ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସଷ୍ଟାଣ୍ଡ ଉଦଘାଟିତ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହିସବୁ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି।  

ନୂଆ ବସଷ୍ଟାଣ୍ଡ ଉଦଘାଟିତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ସାମିଲ ରହିଛି।   

“ଯୋଗାଯୋଗ ହେଉଛି ବିକାଶର ଆଧାର। ଏହା ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଓଡ଼ିଶାର ଗାଁଠୁ ସହର ସବୁଆଡ଼େ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ୫-ଟି ଉପକ୍ରମରେ ରାଜ୍ୟର ପରିବହନ ଭିତ୍ତିଭୂମିର ବିକାଶ କରାଯାଉଛି। ଏହାସହ ଲକ୍ଷ୍ମୀ ଯୋଜନରେ ଗ୍ରାମାଞ୍ଚଳରୁ ବ୍ଲକକୁ ବସ୍ ସେବା ଉପଲବ୍ଧ ହେଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମ ବସଷ୍ଟାଣ୍ଡ ଯୋଜନାରେ ବିକଶିତ ହୋଇଥିବା ଏହି ବସଷ୍ଟାଣ୍ଡଗୁଡ଼ିକ ଧୀରେ ଧୀରେ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ତେବେ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି।”

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏବଂ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

ଏହାସହ କାର୍ଯ୍ୟକ୍ରମରେ ବାଲେଶ୍ଵରର ଭୋଗରାଇଠାରେ ବିଧାୟକ ଅନନ୍ତ ଦାସ, କୋରାପୁଟର ସେମେଳିଗୁଡ଼ାଠାରେ ବିଧାୟକ ରଘୁରାମ ପଡାଲ ଏବଂ ସୁବର୍ଣ୍ଣପୁରର ବିରମହାରାଜପୁରଠାରେ ବିଧାୟକ ପଦ୍ମନାଭ ବେହେରା ଯୋଡ଼ି ହୋଇଥିଲେ।

Tags: #AmaBusStandScheme #NewBusStands #PublicTransport #CMNaveenPatnaik #Odisha

Comment