ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜକୋଟରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ବିନିମୟରେ ୩୨୬ ରନ୍ କରି ନିଜର ସ୍ଥିତି ସୁଦୃଢ଼ କରିଛି। ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକୀୟ ଇନିଂସ୍ ଖେଳିଛନ୍ତି।

ତୃତୀୟ ଟେଷ୍ଟରେ ଭାରତ ପକ୍ଷରୁ ସରଫରାଜ ଖାନ ଓ ଧ୍ରୁବ ଜୁରେଲଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଓ ଯଶସ୍ଵୀ ଜୟସ୍ଵାଲ ପଡ଼ିଆକୁ ଓହ୍ଲାଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ବୋଲିଂ ଆରମ୍ଭ କରିଥିଲେ।  

ତେବେ ଭାରତର ସ୍କୋର ୨୨ ହୋଇଥିବା ବେଳେ ଯଶସ୍ଵୀ ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ ଅଳ୍ପ ରନ ବ୍ୟବଧାନରେ ଶୁଭମନ ଗିଲ ଓ ରଜତ ପାଟିଦାରଙ୍କ ୱିକେଟ ମଧ୍ୟ ପଡ଼ିଥିଲା। ଅନ୍ୟପଟେ ରୋହିତ ଶର୍ମା ନିଜର ବ୍ୟାଟିଂ ଜାରି ରଖିଥିଲେ। ସେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଇନିଂସକୁ ଆଗକୁ ବଢ଼ାଇଥିଲେ।

ମ୍ୟାଚରେ ରୋହିତ ଶର୍ମା ୧୯୬ ବଲରୁ ୧୩୧ ରନ କରି ନିଜର ୧୧ତମ ଶତକ ପୂରଣ କରିଥିଲେ। ତେବେ ରୋହିତଙ୍କ ୱିକେଟ ଯିବାପରେ ରବୀନ୍ଦ୍ର ଜାଡେଜା ସରଫରାଜ ଖାନଙ୍କ ସହ ଇନିଂସ୍ ଖେଳି ନିଜର ଶତକ ପୂରଣ କରିଥିଲେ। ସେହିପରି ସରଫରାଜ ଖାନ ମଧ୍ୟ ନିଜର ପଦାର୍ପଣ ଟେଷ୍ଟରେ ଅର୍ଦ୍ଧଶତକ କରିଥିଲେ।

ପ୍ରଥମ ଦିନର ଖେଳ ଶେଷ ହୋଇଆସୁଥିବା ବେଳେ ୬୨ ରନ କରିଥିବା ସରଫରାଜ ଖାନ ରନଆଉଟ ହୋଇଥିଲେ। ତେବେ ଦଳର ପଞ୍ଚମ ୱିକେଟ ଯିବାପରେ କୁଲଦୀପ ଯାଦବ ବ୍ୟାଟିଂ କରିବାକୁ ଆସିଥିଲେ।

ଏବେ ପ୍ରଥମ ଦିନର ଖେଳ ଶେଷରେ ୧୧୦ ରନ ସହ ରବୀନ୍ଦ୍ର ଜାଡେଜା ଅପରାଜିତ ରହିଛନ୍ତି। ସେ ଶୁକ୍ରବାର କୁଲଦୀପ ଯାଦବଙ୍କ ସହ ବ୍ୟାଟିଂ ଆରମ୍ଭ କରିବେ। ମ୍ୟାଚର ଦ୍ଵିତୀୟ ଦିନରେ ଅଧିକରୁ ଅଧିକ ରନ ସଂଗ୍ରହ କରିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ।

Tags: #IndiavsEnglandTestSeries #TestCricket #Rajkot #BCCI #Sports #India  

Comment