ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ଶୁକ୍ରବାର ଏହି ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୪୫ ରନ କରି ଏକ ମଜବୁତ ସ୍ଥିତିରେ ରହିଛି। ଏହାର ଜବାବରେ ଇଂଲଣ୍ଡ ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୨୦୭ ରନ ସଂଗ୍ରହ କରିଛି। ଇଂଲଣ୍ଡ ପକ୍ଷରୁ ବେନ ଡକେଟ ୧୩୩ ରନ କରି ଅପରାଜିତ ଅଛନ୍ତି। ସେହିପରି ଭାରତ ପକ୍ଷରୁ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ୫୦୦ତମ ବ୍ୟକ୍ତିଗତ ଟେଷ୍ଟ ୱିକେଟ ନେବାର ଉପଲବ୍ଧି ହାସଲ କରିଛନ୍ତି।

ରବିଚନ୍ଦ୍ରନ ଅଶ୍ଵିନ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ହାସଲ କରିଛନ୍ତି। ଏହାସହ ଅନିଲ କୁମ୍ବଲେଙ୍କ ପରେ ୫୦୦ ୱିକେଟ ହାସଲ କରିଥିବା ସେ ଦ୍ଵିତୀୟ ଭାରତୀୟ ବୋଲର ପାଲଟିଛନ୍ତି।  

ଶୁକ୍ରବାର ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ୩୨୬ ରନରୁ ଇନିଂସ୍ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ଗୁରୁବାର ୧୧୦ ରନ କରି ଅପରାଜିତ ଥିବା ରବୀନ୍ଦ୍ର ଜାଡେଜା କୁଲଦୀପ ଯାଦବଙ୍କ ସହ ମିଶି ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୩୩୧ ହୋଇଥିବାବେଳେ ଉଭୟଙ୍କର ୱିକେଟ ପଡ଼ିଥିଲା।

ଏହାପରେ ମ୍ୟାଚରେ ପଦାର୍ପଣ କରୁଥିବା ଧ୍ରୁବ ଜୁରେଲ ଅନ୍ୟ ଖେଳାଳିଙ୍କ ସହ ମିଶି ରନ କରିବା ଆରମ୍ଭ କରିଥିଲେ। ହେଲେ ସେ ୪୬ ରନରେ ଆଉଟ୍ ହେବା ପରେ ଭାରତର ଇନିଂସ୍ ମନ୍ଥର ହୋଇଥିଲା। ଶେଷରେ ୪୪୫ ରନ କରି ଦଳ ଅଲଆଉଟ ହୋଇଥିଲା।

ଏହାପରେ ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ବ୍ୟାଟିଂ କରିବାକୁ ଆସିଥିଲେ। ସେମାନେ ଆରମ୍ଭରୁ ଦଳ ପାଇଁ ସ୍କୋର କରିବା ଆରମ୍ଭ କରିଥିଲେ। ଏହାପରେ ଦଳୀୟ ସ୍କୋର ୮୯ ହୋଇଥିବା ବେଳେ ଜ୍ୟାକ କ୍ରାଉଲିଙ୍କ ୱିକେଟ ନେଇଥିଲେ ରବିଚନ୍ଦ୍ରନ ଅଶ୍ଵିନ।

ଏହାପରେ ବେନ ଡକେଟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ସ୍କୋର କରିବା ଆରମ୍ଭ କରିଥିଲେ। ଏହାପରେ ସେ ନିଜର ଶତକ ପୂରଣ କରିଥିଲେ। ଶୁକ୍ରବାର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟ ବିନିମୟରେ ୨୦୭ ରନ କରିଥିଲା।

ଏବେ ପ୍ରଥମ ଇନିଂସରେ ଇଂଲଣ୍ଡ ଭାରତଠାରୁ ୨୩୮ ରନରେ ପଛୁଆ ରହିଛି। ଶନିବାର ମ୍ୟାଚର ତୃତୀୟ ଦିନରେ ବେନ ଡକେଟ ଓ ଜୋ ରୁଟ ବ୍ୟାଟିଂ ଆରମ୍ଭ କରିବେ।

Tags: #IndiavsEnglandTestSeries #TestCricket #Rajkot #BCCI #Sports #India 

Comment