ଓଡ଼ିଶାଲାଇଭ୍ ବ୍ୟୁରୋ

“୨୦୨୪ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ”, ଓଡ଼ିଶାରେ ନିର୍ବାଚନ ସମୀକ୍ଷା ପରେ ଏଭଳି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ପାଖେଇ ଆସୁଛି ନିର୍ବାଚନ ସମୟ। ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ଏହି ଅବସରରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, “୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଟ ୩୭ ହଜାର ୮୦୯ଟି ବୁଥରେ ମତଦାନ ହେବ। ସେଥିରୁ ୨୨ ହଜାର ୬୮୫ଟି କେନ୍ଦ୍ରରେ ଓ୍ଵେବକାଷ୍ଟିଂ କରାଯିବ। ପ୍ରାୟ ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ରହିବେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେଉଁଠାରେ ତ୍ରୁଟି ଦେଖାଯିବ ଲୋକେ ନାମ ଗୋପନ ରଖି କମିଶନଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗର ୧୦୦ ମିନିଟ ମଧ୍ୟରେ ଆମ ଟିମ ପହଞ୍ଚିଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

କମିଶନରଙ୍କ ସୂଚନା ଅନୁସାରେ ଯଦି କୌଣସି ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବ ତେବେ ସେମାନେ ୩ ଥର ବିଜ୍ଞାପନ ଦେଇ ଜଣାଇପାରିବେ। ନିର୍ଦ୍ଧିଷ୍ଟ ସ୍ଥାନରେ ସଭା ଆୟୋଜନ ପାଇଁ ଯିଏ ପ୍ରଥମେ ଆବେଦନ କରିବେ ତାଙ୍କୁ ଅନୁମତି ମିଳିବ।

ନିର୍ବାଚନ ପରିଚାଳନା ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିମାନଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭବ ପୋଷଣ କରିବାକୁ ପରାମର୍ଶ ଦିଆଯାଇଛି। ନିର୍ବାଚନରେ ନିରପେକ୍ଷ ଏବଂ ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ଵ ଦିଆଯାଇଛି।

ପେଡ୍ ନ୍ୟୁଜ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗ ଆସିଲେ ଏକ ସ୍ଵତନ୍ତ୍ର ଟିମ ଏହାର ତଦନ୍ତ କରିବ। ଅଭିଯୋଗ ସତ ପ୍ରମାଣିତ ହେଲେ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ।

ଏହା ବ୍ୟତୀତ ସିଭିଜିଲ୍ ଜରିଆରେ ହିଂସାକାଣ୍ଡ, ବୁଥଗୁଡ଼ିକରେ ଗଣ୍ଡଗୋଳ ଉପରେ ନଜର ରଖାଯିବ।

ରାଜ୍ୟର ସମସ୍ତ ଭୋଟର ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ କମିଶନର ଆହ୍ଵାନ କରିଛନ୍ତି।

Tags: #Politics #OdishaPolitics #Election #ElectionInOdisha #LokSabhaElection #AssemblyElection #Odisha #ChiefElectionCommissioner #ElectionReview

Comment