ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପାଖେଇ ଆସୁଛି ନିର୍ବାଚନ ସମୟ। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକରେ ଚାଲିଛି ମିଶ୍ରଣର ମହାନ ପର୍ବ। ଏହାରି ମଧ୍ୟରେ ଶୁକ୍ରବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ। ଗୁରୁବାର ଦିନ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ଦୀର୍ଘ ୧୦ ବର୍ଷ ପରେ ପୁଣି ବିଜେଡିକୁ ରେଫିଛନ୍ତି ମନୋରଞ୍ଜନ ସେଠୀ। ଶୁକ୍ରବାର ଦିନ ଦୁର୍ଗାପୁର ଗ୍ରାମ ପଡ଼ିଆରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହ ମନୋରଞ୍ଜନ ସେଠୀ ବିଜେଡିରେ ଯୋଗ ଦେଇଛନ୍ତି। ଏହା ସହ ବିଭିନ୍ନ ଦଳର ଶତାଧିକ କର୍ମୀ ମଧ୍ୟରେ ଆନୁଷ୍ଠାନିକ ଭାବେ ଆଜି ବିଜେଡିରେ ମିଶିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ, ବଡ଼ସାହି ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାପରିଷଦ ସଦସ୍ୟ ଏବଂ ଦଳୀୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

ବିଜେଡିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ମନୋରଞ୍ଜନ ସେଠୀ କହିଛନ୍ତି।

୨୦୦୯ ମସିହାରେ ମନୋରଞ୍ଜନ ସେଠୀ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସେ ବିଜେଡି ଛାଡ଼ିଥିଲେ। ପରେ ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଥିଲେ।

ତେବେ ଦଳ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ବିଜେପିରୁ ଇସ୍ତଫା ଦେଇଥିବା କହିଛନ୍ତି। ମନୋରଞ୍ଜନ ସେଠୀ ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #BJD #BJP #ManoranjanSethi #Odisha #Mayurbhanj

Comment