ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ବୁଧବାର ଦିନ କୃଷି ଭବନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ବିଲ ଗେଟ୍ସଙ୍କ କୃଷି ଭବନ ପରିଦର୍ଶନ ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ।

ଡକ୍ଟର ଅରବିନ୍ଦ ପାଢ଼ୀ ଓ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବିଲ ଗେଟ୍ସ ଓ ଟିମଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୋଜନା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

“୨୦୧୭ ମସିହାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ‘ବିଲ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ’ ର ଚୁକ୍ତିନାମା ହୋଇଥିଲା। ଚୁକ୍ତିନାମା ଅନୁସାରେ କୃଷକଙ୍କ କଲ୍ୟାଣ ନିମନ୍ତେ ଜ୍ଞାନକୌଶଳ ବ୍ୟବହାର କରାଯାଇ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ଖୋଲାଯାଇଛି। ଏହା ମାଧ୍ୟମରେ କିପରି ଚାଷୀଙ୍କୁ ନିକଟକୁ ସୂଚନା ଆଦାନପ୍ରଦାନ ହେଉଛି, ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା। ବିଲ ଗେଟ୍ସ ପଚାରିଥିବା ବିଭିନ୍ନ ପ୍ରଶ୍ନର ଆମେ ଉତ୍ତର ରଖିଥିଲୁ। ରାଜ୍ୟର ଏହି ବ୍ୟବସ୍ଥାକୁ ସେ ଖୁବ ପ୍ରଶଂସା କରିଥିଲେ”, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ

ସେ ଆହୁରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସ୍ୱାବଲମ୍ବୀ ହୋଇଥିବା ମହିଳା ଚାଷୀଙ୍କ ସହ ବିଲ ଗେଟ୍ସ ଆଲୋଚନା କରିଛନ୍ତି। ଏହା ସହ ମିଲେଟସ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ। କୃଷି କ୍ଷେତ୍ରରେ ରିମୋର୍ଟ ସେନସେସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବସ୍ଥା ବ୍ୟବହାର ଲାଗି ବିଲ ଗେଟ୍ସ ପରାମର୍ଶ ଦେଇଛନ୍ତି। ଏହାକୁ ଗ୍ରହଣ କରାଯିବ ବୋଲି ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।

କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ, “ବିଲ ଗେଟ୍ସ ଫାଉଣ୍ଡେସନ ସହଯୋଗରେ କୃଷି ବିଭାଗ ଅନେକ ଜ୍ଞାନକୌଶଳର ସମ୍ଭାବନା ନେଇ କାମ କରୁଛି। ଗୋ ସୁଗମ, ଚାଷୀ ଡାଟାବେସ ଏହାର ଉଦାହରଣ। ଅକ୍ଷୟ ତୃତୀୟା ଅବସରରେ ଉଦଘାଟିତ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ବିଲ ଗେଟ୍ସ। କୃଷି ସମୀକ୍ଷା କେନ୍ଦ୍ର କିପରି କାମ କରୁଛି, ସେ ବାବଦରେ କୃଷି ବିଭାଗ ପକ୍ଷରୁ ଗୋଟିଏ ପ୍ରେଜେଣ୍ଟେସନ ଦିଆଯାଇଥିଲା। ଏହାସହ ଜରୁରୀକାଳୀନ ପରିସ୍ଥିତିରେ କିପରି ଚାଷୀଙ୍କ ପାଖକୁ ସୂଚନା ପହଞ୍ଚୁଛି, ଯୋଜନାର ମନିଟରିଂ ଓ ଫିଡବ୍ୟାକ୍ ସହ କିପରି ନୀତି ସଂଶୋଧନ କରି ହେଉଛି ସେ ବିଷୟରେ ସୂଚନା ଦିଆଯାଇଥିଲା।”

Tags: #BillGates #OdishaVisit #Bhubaneswar #AgricultureDevelopment #BillandMelindaGatesFoundation #Odisha

LEAVE A REPLY

Please enter your comment!
Please enter your name here