ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସ। ବୁଧବାର ସେ ଭୁବନେଶ୍ଵରର ଏକ ବସ୍ତି ବୁଲି ଦେଖିଛନ୍ତି। ଏହାପରେ ସେ ଓଡ଼ିଶା କୃଷି ଭବନ ପରିଦର୍ଶନ କରିବା ସହ ରାଜ୍ୟରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ଏହି ଅବସରରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ବିଲ୍ ଗେଟ୍ସ ମଙ୍ଗଳବାର ରାତିରେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା।

ବୁଧବାର ସକାଳେ ବିଲ୍ ଗେଟ୍ସ ଭୁବନେଶ୍ୱରର ଲୁମ୍ବିନୀ ବିହାର ସ୍ଥିତ ମା’ ମଙ୍ଗଳା ବସ୍ତି ପରିଦର୍ଶନ କରିଥିଲେ। ସେ ବସ୍ତି ବାସିନ୍ଦାଙ୍କ ଜୀବନଶୈଳୀ ବୁଲି ଦେଖିଥିଲେ। ଏହି ଅବସରରେ ସେ କିଛି ଲୋକଙ୍କ ସହ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ଅଲୋଚନା କରିଥିଲେ। ଏହାପରେ ସେ ରାଜ୍ୟ କୃଷି ଭବନ ଗସ୍ତ କରିଛନ୍ତି।

ବିଲ ଗେଟ୍ସ କୃଷି ଭବନରେ ଓଡ଼ିଶାରେ କୃଷିର ଅଗ୍ରଗତି ବିଷୟରେ ଅଲୋଚନା କରିବେ। ରାଜ୍ୟରେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଏଆଇ କିଭଳି ବ୍ୟବହାର କରାଯାଉଛି, ସେ ତାହା ବୁଲି ଦେଖିବେ। ରାଜ୍ୟରେ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ବାବଦରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ତାଙ୍କ ଆଗରେ ପ୍ରଦର୍ଶନ କରାଯିବ।

ଏହି ସମୟରେ ବିଲ ଗେଟ୍ସ କିଛି ମହିଳା ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ସେମାନଙ୍କଠାରୁ କୃଷିର ବିଭିନ୍ନ ବିଷୟରେ କିଛି ମତାମତ ମଧ୍ୟ ନେବେ।

ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ ଓଡ଼ିଶା ସରକାର। ଏଥିରେ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ କ୍ଷୁଦ୍ର ଚାଷୀ ଏବଂ ଅନ୍ୟ କୃଷକଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା। ବିଲ ଗେଟ୍ସ ସେହି ସବୁ କାର୍ଯ୍ୟର ସମୀକ୍ଷା କରିବେ।

Tags: #BillGates #OdishaVisit #Bhubaneswar #SocialWorks #BillandMelindaGatesFoundation #Odisha

LEAVE A REPLY

Please enter your comment!
Please enter your name here