ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ କେ ଏଲ ରାହୁଲ ଓ ୱାସିଂଟନ ସୁନ୍ଦରଙ୍କୁ ବାଦ ଦିଆଯାଇଛି। ତେବେ ରାଞ୍ଚିରେ ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରାଙ୍କୁ ପୁଣି ଦଳରେ ସାମିଲ କରାଯାଇଛି। ହିମାଚଳ ପ୍ରଦେଶର ଧର୍ମଶାଳାରେ ମାର୍ଚ୍ଚ ୭ ତାରିଖରୁ ଏହି ଟେଷ୍ଟ ଖେଳାଯିବ।

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ। ଏହି ଦଳରେ ଯଶସ୍ଵୀ ଜୟସ୍ଵାଲ୍, ଶୁଭମନ ଗିଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ ଓ କେ ଏସ ଭରତ ସାମିଲ ହୋଇଛନ୍ତି।

ସେହିପରି ଦେବଦତ୍ତ ପଡିକଲ, ଆର ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପଙ୍କୁ ଦଳରେ ସ୍ଥାନ ମିଳିଛି। ଏହାସହ ଯଶପ୍ରୀତ ବୁମରା ଦଳର ଉପଅଧିନାୟକ ଦାୟିତ୍ଵ ତୁଲାଇବେ।     

ତେବେ କେଏଲ ରାହୁଲ ଆହତ ଥିବା କାରଣରୁ ତାଙ୍କୁ ପଞ୍ଚମ ଟେଷ୍ଟରୁ ବାଦ ଦିଆଯାଇଛି। ଅନ୍ୟପଟେ ୱାସିଂଟନ ସୁନ୍ଦର ତାମିଲନାଡୁ ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ ମୁକାବିଲା ଖେଳିବେ। ଏଥିପାଇଁ ତାଙ୍କୁ ଦଳରୁ ରିଲିଜ କରାଯାଇଛି।

ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜକୁ ୩-୧ରେ ଅଗ୍ରଣୀ ରହି ହାତେଇ ସାରିଛି। ଏହି ସିରିଜ ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ଭାରତକୁ ପରାସ୍ତ କରିଥିଲା। ହେଲେ ଏହାପରେ ବିଶାଖାପାଟଣା, ରାଜକୋଟ ଓ ରାଞ୍ଚିରେ ହୋଇଥିବା ୩ତି ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ଏବେ ଶେଷ ଟେଷ୍ଟରେ ମଧ୍ୟ ଭଲ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।

Tags: #IndiavsEnglandTestSeries #TestCricket #DharamsalaTest #BCCI #Sports #India  

LEAVE A REPLY

Please enter your comment!
Please enter your name here