ଓଡ଼ିଶାଲାଇଭ୍ ବ୍ୟୁରୋ

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ଅଙ୍ଗନବାଡ଼ି କର୍ମୀଙ୍କ ସହ ମିନି ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି।

ଏହାଦ୍ଵାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ନୂତନ ଘୋଷଣା ଅନୁଯାୟୀ ଅଙ୍ଗନବାଡ଼ି କର୍ମୀମାନଙ୍କ ମାସିକ ପାରିଶ୍ରମିକ ୭,୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୫,୩୭୫ ଟଙ୍କାରୁ ୭,୨୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩,୭୫୦ ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି ହୋଇଛି।

ଏହି ବର୍ଦ୍ଧିତ ଦରମା ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବ୍ରୁଆରି ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ୨୦୨୩ ଅକ୍ଟୋବରରୁ ୨୦୨୪ ଜାନୁଆରି ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ଆସନ୍ତା ମାର୍ଚ୍ଚ ୫ରୁ ୧୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ।

ଏହା ସହ ଅଙ୍ଗନବାଡ଼ି କର୍ମଚାରୀଙ୍କ ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦକୁ ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡ଼ି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ଟଙ୍କା ଓ ଅଙ୍ଗନବାଡ଼ି ସହାୟିକାମାନେ ୨୦ ହଜାର ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା ପାଇବେ।

ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ଲାଗି ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ।

Tags: #OdishaGovt #AnganwadiWorker #Odisha #SalaryHike

Comment