ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଶନିବାର ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୬୪ ରନରେ ଜିତିଛି ଭାରତୀୟ ଦଳ। ଏହାସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୪-୧ରେ ହାତେଇଛି । ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ସ୍ପିନର କୁଲଦୀପ ଯାଦବ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବାବେଳ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ଵୀ ଜୟସ୍ଵାଲ୍ ‘ପ୍ଲେୟାର ଅଫ ଦି ସିରିଜ’ ହୋଇଛନ୍ତି।

ଗୁରୁବାର ଆରମ୍ଭ ହୋଇଥିବା ପଞ୍ଚମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ହେଲେ ପ୍ରଥମ ଇନିଂସରେ ଦଳ ଭାରତୀୟ ବୋଲିଂ ଆଗରେ ମାତ୍ର ୨୧୮ ରନ କରି ଅଲଆଉଟ ହୋଇଥିଲା। ଏଥିରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୫ଟି, ରବିଚନ୍ଦ୍ରନ ଅଶ୍ଵିନ ୪ଟି ଏବଂ ରବୀନ୍ଦ୍ର ଜଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଏହାପରେ ଭାରତ ପ୍ରଥମ ଇନିଂସରେ ୪୭୭ ରନ କରି ୨୫୯ ରନରେ ଆଗୁଆ ରହିବାରେ ସକ୍ଷମ ହୋଇଥିଲା। ଏହି ଇନିଂସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୦୩ ରନ ଓ ଶୁଭମନ ଗିଲ୍ ୧୧୦ ରନ କରିଥିଲେ। ଇଂଲଣ୍ଡର ସ୍ପିନର ଶୋଏବ ବସିର ୫ଟି ୱିକେଟ ନେଇଥିଲେ।

ଏହାପରେ ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ପୁଣି ବ୍ୟାଟିଂ ବିପର୍ଜୟର ଶିକାର ହୋଇଥିଲା। ୨୫୯ ରନରେ ପଛୁଆ ଚାଲୁଥିବା ଇଂଲଣ୍ଡ ଶେଷରେ ୧୯୫ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ କେବଳ ଜୋ ରୁଟ ହିଁ ୮୪ ରନ କରି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୫ଟି ୱିକେଟ ନେଇଥିଲେ।

ଏହି ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ଭାରତକୁ ପରାସ୍ତ କରିଥିଲା। ହେଲେ ଏହାପରେ ବିଶାଖାପାଟଣା, ରାଜକୋଟ ଓ ରାଞ୍ଚିରେ ହୋଇଥିବା ୩ଟି ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ଏବେ ଧର୍ମଶାଳାର ଶେଷ ଟେଷ୍ଟକୁ ମଧ୍ୟ ଜିତି ନେଇଛି ଟିମ୍ ଇଣ୍ଡିଆ।

Tags: #IndiavsEnglandTestSeries #TestCricket #DharamsalaTest #BCCI #Sports #India  

LEAVE A REPLY

Please enter your comment!
Please enter your name here