ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ଚାଷ କରାଯାଇଥିବା ଅଫିମ ଫସଲକୁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଅଫିମ ଫସଲର ମୂଲ୍ୟ ୧୮ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ବ୍ୟାପକ ଅଫିମ ଚାଷ କରାଯାଇଥିବା ପୋଲିସ ଏବଂ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହା ପରେ କରଞ୍ଜିଆ ଉପଖଣ୍ଡ ଅଧିକାରୀଙ୍କ ନେତୃତ୍ଵରେ ଯଶିପୁର ପୋଲିସ ପକ୍ଷରୁ ଗୋଟିଏ ଟିମ ଗଠନ କରାଯାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଉ ଏକ ଟିମ ଗଠନ କରାଯାଇଥିଲା।

ଉଭୟ ଟିମ ଅଭୟାରଣ୍ୟ ଭିତରେ ଥିବା ବକୁଆ ଓ କୁକୁରଭୁକା ଗ୍ରାମ ନିକଟ ଜଙ୍ଗଲରେ ଚାଷ ହୋଇଥିବା ଅଫିମ ଫସଲକୁ ପୋଡ଼ି ନଷ୍ଟ କରାଯାଇଥିଲା। ପ୍ରାୟ ୫ ଲକ୍ଷ ୨୫ ହଜାର  ଅଫିମ ଗଛ ନଷ୍ଟ କରାଯାଇଥିବାବେଳେ ଏହାର ମୂଲ୍ୟ ୧୦ କୋଟି ୬୬ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।

ସେହିପରି ଅବକାରୀ ବିଭାଗ ପକ୍ଷରୁ ଜେନାବିଲ, ଖଝୁରୀ ଓ ଯଯଗଡ଼ା ଗଙ୍ଗଲ ମଧ୍ୟରେ ପ୍ରାୟ ୧୧ ଏକର ଜମିରେ ଚାଷ କରାଯାଇଥିବା ୩ ଲକ୍ଷ ୮୫ ହଜାର ଅଫିମ ଗଛକୁ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ଜବତ ଅଫିମ ଗଛର ମୂଲ୍ୟ ୭ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ଏହାକୁ ନେଇ ଯଶିପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଗତ ଫେବ୍ରୁଆରି ୨୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ୧୩ ହଜାର ଅଫିମ ଗଛ ପୋଡ଼ି ନଷ୍ଟ କରାଯାଇଥିଲା।

Tags: #Opium #IllegalOpiumFarming #MayurbhanjPolice #Mayurbhanj #Odisha

LEAVE A REPLY

Please enter your comment!
Please enter your name here