ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

ଡାକ୍ତର କମଳା ଦାସ କିଛି ଦିନ ଧରି ଅସୁସ୍ଥ ଥିଲେ। ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ଏହାପରେ ସେ ଫୁସଫୁସଜନିତ ସଂକ୍ରମଣରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।

ଡାକ୍ତର କମଳା ଦାସଙ୍କ ବିୟୋଗରେ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ଅପରାହ୍ଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

୧୯୯୦ ମସିହାରେ ଡାକ୍ତରୀ ଚାକିରି ଛାଡ଼ି ରାଜନୀତିରେ ପାଦ ରଖିଥିଲେ ଡାକ୍ତର କମଳା ଦାସ। ସେହି ବର୍ଷ ସେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବିଧାନସଭା ଆସନରୁ ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ସେ ଉକ୍ତ ଆସନରୁ ୧୯୯୫ ମସିହାରେ ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ବିଜୟୀ ହୋଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

ସେହିପରି ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଓ ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। କେବଳ ବାଲେଶ୍ଵର ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟ ରାଜନୀତିରେ ଜଣେ ବିଶିଷ୍ଟ ନାରୀନେତ୍ରୀ ଭାବେ ଡାକ୍ତର କମଳା ଦାସ ବେଶ୍ ପରିଚିତ ଥିଲେ।

Tags: #DrKamalaDas #FormerMinister #Politician #Politics #Baleswar #Odisha

Comment