ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିଛି। ଏହି ଚିକିତ୍ସା ସୁବିଧାକୁ ବନ୍ଦ କରାଯାଇନାହିଁ। ଘରୋଇ ହସ୍ପିଟାଲଗୁଡ଼ିକ ସହ ରାଜ୍ୟ ସରକାରଙ୍କ ଚୁକ୍ତିନାମା ବଳବତ୍ତର ରହିଛି। ଗୁରୁବାର ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

“ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ରାଜ୍ୟରେ କାର୍ଯ୍ୟକାରୀ ରହିଛି। ଯେପର୍ଯ୍ୟନ୍ତ ନୂଆ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ। ବିଏସକେୱାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ। ଏନେଇ କିଛି ଅସୁବିଧା ହେଲେ ଲୋକେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱର ‘୧୦୪’ରେ ଜଣାଇପାରିବେ। ଉକ୍ତ ହସ୍ପିଟାଲ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”,କହିଛନ୍ତି ପ୍ରଦୀପ କୁମାର ଜେନା।   

ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ ବିଏସକେୱାଇ କାର୍ଡ ବନ୍ଦ ହୋଇଯାଇଥିବା କହି କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ତେବେ ବିଏସକେୱାଇ କାର୍ଡରେ ଚିକିତ୍ସା ନମିଳିବାରୁ ଅନେକ ଲୋକ ଅସୁବିଧା ସମ୍ମୁଖୀନ ହୋଇଥିଲେ। ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଧ୍ୟ ବିଏସକେୱାଇ ଅଧୀନରେ ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ବୁଧବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟରେ ବିଏସକେଓ୍ଵାଇ ଯୋଜନା ବନ୍ଦ ହୋଇ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ବୟାନ ଦେଇଥିଲେ। ବିଏସକେୱାଇରେ ସୀମିତ ସୁବିଧା ମିଳୁଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାରେ ଅଧିକ ସୁବିଧା ମିଳିବ ବୋଲି ସେ କହିଥିଲେ। ହେଲେ ତାଙ୍କର ଏହି ବୟାନ ପରେ ରାଜ୍ୟରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବା ନେଇ ଦ୍ଵନ୍ଦ୍ଵ ଉପୁଜିଥିଲା।

ରାଜ୍ୟର ବିଭିନ୍ନ ସ୍ଥାନରୁ ବିଏସକେୱାଇରେ ଚିକିତ୍ସା ସୁବିଧା ନମିଳିବା ଅଭିଯୋଗ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ମନମୋହନ ସାମିଲ। ଏକ ପ୍ରେସ ବିବୃତ୍ତି ଜାରି କରି ସେ କହିଥିଲେ, “ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ଅନେକ ଅଭିଯୋଗ ଆସିବାକୁ ଲାଗିଛି। ରାଜ୍ୟର କିଛି ଘରୋଇ ହସ୍ପିଟାଲ ବିଏସକେଓ୍ଵାଇ ଯୋଜନା ବନ୍ଦ ହୋଇଗଲା କହି ଚିକିତ୍ସା ନକରି ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସରକାର ପରିବର୍ତ୍ତନ ଆଳରେ ଲୋକଙ୍କ ମନରେ ଦ୍ଵନ୍ଦ୍ଵ ସୃଷ୍ଟି ନକରି ରୋଗୀମାନଙ୍କୁ ଉପଯୁକ୍ତ ଓ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇବା ସହ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ ମତବ୍ୟକ୍ତ କରିଛନ୍ତି।

Tags: #BijuSwasthyaKalyanaYojana #BSKY #HealthCare #H&FWDept #Odisha

LEAVE A REPLY

Please enter your comment!
Please enter your name here