ସନ୍ଦୀପ ସାହୁ

ଗୁଗଲରେ ଉପଲବ୍ଧ ତଥ୍ୟ କହୁଛି ସ୍ଥଳ ଓ ପରିବେଶ ଅନୁଯାୟୀ ପାରାଙ୍କ ଜୀବନକାଳ ୩ରୁ ୫ ବର୍ଷ ବା ୧୫ରୁ ୨୦ ବର୍ଷ ମଧ୍ୟ ହୋଇପାରେ। ଇଣ୍ଟରନେଟରୁ ସଂଗୃହୀତ ଏ ତଥ୍ୟ ମୋ ଦ୍ଵନ୍ଦ୍ଵକୁ ଦୂର କରିବା ବଦଳରେ ଆହୁରି ଘନୀଭୂତ କରିଦିଏ। ସେ ଦ୍ଵନ୍ଦ୍ଵଟି ହେଲା ଫୋଟରେ ଦିଶୁଥିବା ପାରା ଯୋଡ଼ିକ କ’ଣ ସେଇ ଯୋଡ଼ି, ଯାହାଙ୍କୁ ମୁଁ ଏ ଘରେ ରହିବା ଦିନଠାରୁ ଦେଖି ଆସୁଛି?

ନା ତାଙ୍କ ସନ୍ତାନ ସନ୍ତତି, ପୁଅ ବୋହୂ, ଝିଅ ଜ୍ଵାଇଁ, ନା ମୂଳ ଯୋଡ଼ି ସହ ଆଦୌ କୌଣସି ସମ୍ପର୍କ ନ ଥିବା ସମ୍ପୂର୍ଣ୍ଣ ଭିନ୍ନ ଏକ ଯୋଡ଼ି ଇଏ? ଯଦି ଏମାନେ ସେଇ ମୂଳ ଯୋଡ଼ି, ତେବେ ସେମାନଙ୍କ ସନ୍ତାନ ସନ୍ତତି ଏବେ କେଉଁଠି? ସେମାନେ କ’ଣ ନିଜ ସଂସାର କରି ଅନ୍ୟତ୍ର ଅବସ୍ଥାନ କରୁଛନ୍ତି? ଆଉ ଯଦି ପୁଅ ବୋହୂ କି ଝିଅ ଜ୍ଵାଇଁ, ତେବେ ମୂଳ ଯୋଡ଼ିଟି ଗଲେ କୁଆଡ଼େ? ସେ ଦୁହେଁ କ’ଣ ଅନ୍ୟ କୋଉଠି ଆସ୍ଥାନ ଜମେଇଛନ୍ତି ନା ଆଉ ଇହଧାମରେ ନାହାଁନ୍ତି  ଏମିତି ଅନେକ ପ୍ରଶ୍ନ ଉଙ୍କିମାରେ ମନରେ, କିନ୍ତୁ କୌଣସି ପ୍ରଶ୍ନର ଉତ୍ତର ମିଳେ ନାହିଁ।

ଗତ ଆଠ ବର୍ଷ ହେଲାଣି ନିଜ ଶୋଇବା ଘର ଝରକା ଫାଙ୍କରେ ପ୍ରାୟ ପ୍ରତିଦିନ ଦେଖିଆସୁଛି (ଅନେକ ସମୟରେ ଦିନରେ ଏକାଧିକ ବାର) ଆମ ପଛ ଘରର ପଛ ଝରକା ସିଲରେ ମୁଗ୍ଧ ନୟନରେ ପରସ୍ପର ମୁହଁକୁ ଚାହିଁ ଘଣ୍ଟା ଘଣ୍ଟା ବସି ରହିଥିବା (ବା ଠିଆ ହୋଇଥିବା) ଏ ପାରା ଯୋଡ଼ିକୁ। ସକାଳ ହଉ କି ଖରାବେଳ, ସନ୍ଧ୍ୟା ହଉ କି ରାତି, ଖରାଦିନ ହେଉଥାଉ କି ବର୍ଷା ଋତୁ, ଆମ ଛାତରେ ଥିବା ଏସି କଂପ୍ରେସରର ତତଲା ପବନ ହଉ କି ପଛ ଘରେ ପାଣି ମୋଟର ଚାଲିବାର କର୍କଶ, ବିକଟାଳ ଧାତବ ଶବ୍ଦ, ଏ ଦୁହିଁଙ୍କୁ କିଛି ଫରକ୍ ପଡ଼େନାହିଁ। ସେମିତି ସ୍ଥିର, ଶାନ୍ତ ଚିତ୍ତରେ ପରସ୍ପର ଭିତରେ ହଜି ଯାଇଥାନ୍ତି ଦୁହେଁ।

ମୁଁ ସେ ଦୁହିଁଙ୍କ ନାଁ ଦେଇଛି ‘ଟୁଆଁ’ ଓ ‘ଟୁଇଁ’ – ଯଦିଓ ମୁଁ କହି ପାରିବିନି ତାଙ୍କ ଭିତରୁ ‘ଟୁଆଁ’ କିଏ ଓ ‘ଟୁଇଁ’ କିଏ? ମୁଁ ତ ଏତକ ବି ଜାଣିନାହିଁ ଯେ ଏ ଦୁହେଁ ପୁରୁଷ ନାରୀ ନା ଦୁଇ ପୁରୁଷ ନା ଦୁଇ ନାରୀ। କିନ୍ତୁ ବର୍ଷ ବର୍ଷ ଧରି ଦୁହିଁଙ୍କୁ ଅପଲକ ନୟନରେ ପରସ୍ପରକୁ ଚାହିଁ ରହିଥିବା ଦେଖି ଦେଖି ଧରି ନେଇଛି ଯେ ସେମାନେ ପୁରୁଷ-ନାରୀ। ହୁଏତ ସ୍ଵାମୀ-ସ୍ତ୍ରୀ ବା ପ୍ରେମିକ-ପ୍ରେମିକା ବା ଲିଭ୍-ଇନ୍ ସମ୍ପର୍କରେ ଥିବା ବିପରୀତ ଲିଙ୍ଗର ଦୁଇଟି ପାରା। କିନ୍ତୁ ଯେଉଁ ଗୋଟିଏ ବିଷୟରେ ମୁଁ ନିଃସନ୍ଦେହ, ତାହା ହେଲା ସେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି।

ଆଉ ଏତେ ବର୍ଷ ଧରି ପ୍ରାୟ ପ୍ରତିଦିନ ସେ ଦୁହିଁଙ୍କୁ ଦେଖି ଦେଖି ମୁଁ ବି ସେମାନଙ୍କୁ ଭଲ ପାଇ ବସିଛି। ସେ ଦୁହେଁ ଯେମିତି ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରନ୍ତି ନାହିଁ, ମୁଁ ମଧ୍ୟ ସେ ଦୁହିଁଙ୍କୁ ନଦେଖିଲେ କିଛି ଭଲ ଲାଗେନାହିଁ। ଖାଲି ଖାଲି, ଉଦାସ ଉଦାସ ଲାଗେ।

କଦବା କେମିତି ଦିନେ ସେ ଦୁହିଁଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ନଦେଖିଲେ ଭାରି ବ୍ୟସ୍ତ ଲାଗେ। ସେମାନେ ପୁଣି ଥରେ ତାଙ୍କ ନୀଡ଼କୁ ଫେରି ଆସିବା ପର୍ଯ୍ୟନ୍ତ ମନ ଅସ୍ଥିର ହେଉଥାଏ। କାଳେ କିଛି ଅସୁବିଧା ହେଲା କି ତାଙ୍କର, ଏ ସ୍ଥାନ ଛାଡ଼ି ଚାଲିଗଲେ କି ସବୁଦିନ ପାଇଁ, ଆଉ ଫେରିବେ ନାହିଁ କି, ଏମିତି  କିଛି ପ୍ରଶ୍ନକୁ ନେଇ ବେଳେବେଳେ ମନକୁ ପାପ ଛୁଏଁ।

ଭାବେ, ଶିକାର ସନ୍ଧାନରେ ଅତି ସନ୍ତର୍ପଣରେ ପାଖ ଘର ଛାତ ଦେଇ ଆମ ଘର ଛାତକୁ ଚାଲି ଆସୁଥିବା ଭୁଆ ବିରାଡ଼ିଟି- ଯିଏ ଗତ କିଛି ବର୍ଷ ମଧ୍ୟରେ ସକାଳେ ଆମ ଛାତରେ ରଖା ହେଇଥିବା ଗହମ, ଚାଉଳ ବା ଅନ୍ୟ କିଛି ଶସ୍ୟ ଖାଇବାକୁ ଆସିଥିବା ବେଶ କିଛି ପାରାଙ୍କୁ ବଧ କରି ସାରିଲାଣି, ମୋ ଟୁଆଁ ଟୁଇଁଙ୍କୁ ଗଳାଧଃକରଣ କରିଦେଇ ନାହିଁ ତ?

ଏଭଳି ଆଶଙ୍କା ମନକୁ ଆସିଲେ ଏକ ଅଜଣା ଆତଙ୍କରେ ଶିହରି ଉଠେ ମନ, ଆର୍ତ୍ତନାଦ କରି ଉଠେ ହୃଦୟ। (ମୁଁ ଅବଶ୍ୟ ଜାଣିନାହିଁ ଯେ ସକାଳେ ଶସ୍ୟ ଖାଇବାକୁ ଆମ ଛାତରେ ରୁଣ୍ଡ ହେଉଥିବା ମାଳ, ମାଳ ପାରାଙ୍କ ଭିତରେ ଟୁଆଁ, ଟୁଇଁ ଥାଆନ୍ତି କି ନାହିଁ)। ଏଭଳି ଚିନ୍ତା ଆସିଲେ ମୁଁ ମନକୁ ବୁଝାଏ, ନା, ନା। ସେଭଳି କିଛି ହୋଇନାହିଁ। ହୁଏତ ଖାଦ୍ୟ ସନ୍ଧାନରେ ଯାଇଛନ୍ତି ମୋ ଟୁଆଁ ଟୁଇଁ।

କିଛି ସମୟ ଭିତରେ ଫେରି ଆସିବେ। ସଚରାଚର ତାହା ହିଁ ହୁଏ। କିଛି ସମୟ ପରେ ଦୁହେଁ ଫେରି ଆସନ୍ତି ତାଙ୍କ ପ୍ରିୟ ସ୍ଥାନକୁ, ପୁଣି ଥରେ ହଜି ଯାଆନ୍ତି ପରସ୍ପର ଭିତରେ। ସେ ଦୁହେଁ ଫେରି ଆସିଲେ ମୁଁ ଏକ ଗଭୀର ଆଶ୍ୱସ୍ତି ଅନୁଭବ କରେ ମନ ଭିତରେ। ଏକ ଅଦ୍ଭୁତ ଆନନ୍ଦ ଶରୀର, ମନ, ପ୍ରାଣକୁ ଆହ୍ଲାଦିତ କରି ପକାଏ।

ଏଇ ଭିତରେ ଦିନେ ବାହାରୁ ଆସି ଲୁଗା ବଦଳାଉ ଥିଲାବେଳେ ହଠାତ୍ ନଜର ପଡ଼ିଲା ସିଲ୍ ଉପରେ ବସିଛି ଗୋଟିଏ ମାତ୍ର ପାରା, ଦେଖା ଯାଉନାହିଁ ତା ଯୋଡ଼ିଦାର। ପତ୍ନୀଙ୍କୁ ପଚାରିଲି, ଟୁଇଁ କ’ଣ ବାପ ଘରକୁ ଯାଇଛି କି? (ଯଦିଓ ମୁଁ ସ୍ଥିରନିଶ୍ଚିତ ନଥିଲି ଯେ ଏକୁଟିଆ ଠିଆ ହୋଇଥିବା ପାରାଟି ଟୁଆଁ ନା ଟୁଇଁ)।

ପତ୍ନୀ କହିଲେ,ହଁ ବୋଧେ। ମୁଁ ବି ଦେଖିନି ତାକୁ ସକାଳୁ। (ମୋ ଦେଖାଦେଖି ଏବେ ପତ୍ନୀ ବି ଏବେ ସେମାନଙ୍କ ଉପରେ ନିଘା ରଖିବା ଆରମ୍ଭ କଲେଣି, ସେମାନଙ୍କ ଅନୁପସ୍ଥିତିକୁ ମର୍ମେ ମର୍ମେ ଅନୁଭବ କଲେଣି)। ଏହାର ଦିନେ, ଦୁଇଦିନ ପରେ ଦିନେ ଘରକୁ ପଶୁ ପଶୁ ଘରଣୀ ବହୁ ପ୍ରତୀକ୍ଷିତ ସୁଖବରଟି ଦେଲେ। ଟୁଇଁ ଫେରି ଆସିଲାଣି ବାପଘରୁ। ମୁଁ ରହସ୍ୟ କରି କହିଲି, “ବାପ ଘରୁ ଭାର ଆଣିଥିବ ନିଶ୍ଚୟ।”

ପତ୍ନୀ କହିଲେ, “ହଁ ଆଣିଥିଲା। ତୁମକୁ ଖୋଜୁଥିଲା। ତୁମେ ତ ନଥିଲ। ତେଣୁ ଯାହା ଆଣିଥିଲା, ଦୁହେଁ ମିଶି ଖାଇଦେଲେ।”

ଏହାର କିଛିଦିନ ପରେ ଏକ ବିରଳ ଦୃଶ୍ୟ ଦେଖିଲି। ବର୍ଷ ବର୍ଷ ଧରି ଅପଲକ ଆଖିରେ ପରସ୍ପରକୁ ଅନାଇ ରହୁଥିବା ଟୁଆଁ ଟୁଇଁ ସମାନ୍ତରାଳ ଭାବେ ଏକ ସାମ୍ନାକୁ ଚାହିଁ ରହିଛନ୍ତି। ଭାବିଲି, ଦୁହିଁଙ୍କ ଭିତରେ କିଛି ମନୋମାଳିନ୍ୟ ହୋଇଛି କି, ଦାମ୍ପତ୍ୟ କଳହ, କିଛି ରାଗ, ରୁଷା, ମାନ ଅଭିମାନ କି କଳି ତକରାଳ ହୋଇଛି। ପରଦିନ ସକାଳେ ଦୁହିଁଙ୍କୁ ଯଥାରୀତି ପରସ୍ପରକୁ ମୁହଁ କରି ଅନାଇ ଥିବାର ଦେଖି ଆଶ୍ଵସ୍ତ ହେଲି। ଭାବିଲି, ଆପୋଷ ବୁଝାମଣା ହୋଇଗଲା ବୋଧେ।

ଜୀବନର ଅପରାହ୍ଣରେ ଟୁଆଁ ଓ ଟୁଇଁ ମୋ ଦୈନନ୍ଦିନ ଜୀବନର ଏମିତି ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛନ୍ତି ଯେ ସେମାନଙ୍କ ବିନା ବଞ୍ଚିବା କଥା ଚିନ୍ତାକରି ପାରୁନାହିଁ ମୁଁ। ହସ୍ପିଟାଲ ବେଡ୍ ରୁ ଝରକା ଫାଙ୍କ ଦେଇ ବାହାରେ ଥିବା ଗଛଟିର ଶେଷ ପତ୍ରଟିକୁ ଦେଖି ଦେଖି ବଞ୍ଚି ରହିଥିବା ଓ ହେନେରିଙ୍କ ‘ଦ ଲାଷ୍ଟ ଲିଫ୍’ ଗପର ସେ ଚରିତ୍ରଟି ପରି ମୋତେ ବି ଅନେକ ସମୟରେ ଲାଗେ ଯେ ଟୁଆଁ ଟୁଇଁ ଥିବା ପର୍ଯ୍ୟନ୍ତ ମୁଁ ଅଛି। ସେ ଦୁହେଁ ଟୁଆଁ ଟୁଇଁ ନହୋଇ ତାଙ୍କର ସନ୍ତାନ-ସନ୍ତତି, ପୁତ୍ର-ପୁତ୍ରବଧୂ, କନ୍ୟା-ଜାମାତା ବା ସମ୍ପୂର୍ଣ୍ଣ ଭିନ୍ନ ଏକ କପୋତ-କପୋତୀ ଯୋଡ଼ି ହୁଅନ୍ତୁ ପଛେ।

(ସୌଜନ୍ୟ: ସୋସିଆଲ ମିଡିଆ)

Tags: #Pigeon #Nature #Sociallife #SandeepSahu #Story

LEAVE A REPLY

Please enter your comment!
Please enter your name here