ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୨୧ ତାରିଖରେ ଆମେରିକାରେ ହେବାକୁ ଯାଉଛି ‘କ୍ୱାଡ୍ ଶିଖର ସମ୍ମିଳନୀ-୨୦୨୪’। ଚଳିତବର୍ଷ ଏହି ସମ୍ମିଳନୀ ନୂଆଦିଲ୍ଲୀ ପରିବର୍ତ୍ତେ ଆମେରିକାରେ ଡେଲାୱାର୍ ସ୍ଥିତ ୱିଲ୍ମିଣ୍ଟନ୍ରେ ଅନୁଷ୍ଠିତ ହେବ। ଏଥିରେ କ୍ଵାଡ୍ ଗ୍ରୁପର ୪ ସଦସ୍ୟ ରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ପ୍ରତିନିଧିତ୍ଵ କରିବେ।
କ୍ୱାଡ୍ ଗ୍ରୁପ୍ର ଶିଖର ସମ୍ମିଳନୀରେ ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ, ତଟ ସୁରକ୍ଷା, ଆତଙ୍କବାଦ ପ୍ରତିରୋଧ, ବିପର୍ଯ୍ୟୟ ପ୍ରଶମନ, ଯାତାୟାତ ଏବଂ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବାର ସମ୍ଭାବନା ରହିଛି। ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିଜ୍, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିବେ।
ଏ ବର୍ଷ ଭାରତରେ କାହିଁକି ହେବନି କ୍ୱାଡ୍ ଶିଖର ସମ୍ମିଳନୀ?
ଚଳିତବର୍ଷ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଭାରତ କ୍ୱାଡ୍ ଶିଖର ସମ୍ମିଳନୀକୁ ଆୟୋଜନ କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଅତିଥି ରୂପେ ନିମନ୍ତ୍ରିତ ମଧ୍ୟ କରାଯାଇଥିଲା। ହେଲେ ଜୋ ବାଇଡେନ୍ ବ୍ୟକ୍ତିଗତ କାରଣରୁ ଏହି ସମ୍ମିଳନୀରେ ସାମିଲ ହୋଇପାରିବେ ନାହିଁ ବୋଲି ହ୍ଵାଇଟ୍ ହାଉସ ପକ୍ଷରୁ କୁହାଯାଇଥିଲା।
ନୂଆଦିଲ୍ଲୀରେ କ୍ୱାଡ୍ ଶିଖର ସମ୍ମିଳନୀ ୨୦୨୪ରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହେବାର ଥିଲା। ଏହାସହ ସଦସ୍ୟ ରାଷ୍ଟ୍ରର ଅନ୍ତରୀଣ ସୁରକ୍ଷା ସମେତ ବ୍ୟବସାୟିକ ନୀତି ଓ ଗ୍ରୁପର ଭବିଷ୍ୟତର କାର୍ଯ୍ୟକଳାପ ଉପରେ ଆଲୋଚନା ହେବା ନେଇ ଯୋଜନା କରାଯାଇଥିଲା।
ଚଳିତବର୍ଷ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ୨୦୨୪ କ୍ୱାଡ୍ ସମ୍ମିଳନୀରେ ତାଙ୍କୁ ନେତୃତ୍ଵ କରିବାକୁ ଶେଷ ସୁଯୋଗ ଦିଆଯିବା ଲାଗି ପରେ ଆମେରିକା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବରେ କ୍ୱାଡ୍ ଗ୍ରୁପ୍ର ଅନ୍ୟ ସଦସ୍ୟମାନେ ମୋହର ମଧ୍ୟ ମାରିଥିଲେ।
କ୍ୱାଡ୍ ଗ୍ରୁପ୍ର ନିଷ୍ପତ୍ତି ଅନୁସାରେ ଆଗାମୀ ବର୍ଷ ଅର୍ଥାତ୍ ‘କ୍ୱାଡ୍ ଶିଖର ସମ୍ମିଳନୀ-୨୦୨୫’ ଭାରତରେ ଅନୁଷ୍ଠିତ ହେବ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କ୍ୱାଡ୍ କ’ଣ ଓ କେବେ ଆରମ୍ଭ ହୋଇଥିଲା?
କ୍ୱାଡ୍ (କ୍ୱାଡ୍ରିଲାଟେରାଲ୍ ସିକ୍ୟୁରିଟି ଡାଇଲଗ୍) ୪ଟି ଦେଶ ମଧ୍ୟରେ ସୁରକ୍ଷା ନୀତିକୁ ନେଇ ଗଠନ ହୋଇଛି। ଏଥିରେ ଭାରତ, ଆମେରିକା, ଜାପାନ ଓ ଆମେରିକା ସଦସ୍ୟ ରହିଥିଲେ। ବିଶ୍ଵ ମାନଚିତ୍ରରେ ଏହି ୪ଟି ଦେଶକୁ ଯୋଡ଼ିଲେ ଏକ ଚତୁର୍ଭୁଜାକାର ଆକୃତି ଭଳି ଦେଖାଯାଏ। ୨୦୦୭ ମସିହାରେ ଏହାର ସ୍ଥାପନ ହୋଇଥିଲା।
୨୦୦୪ରେ ଭାରତ ମହାସାଗରରେ ହୋଇଥିବା ସୁନାମି ପରେ ଏକ ଗ୍ରୁପ୍ ଗଠନ କରାଯାଇଥିଲା। ଏହି ସୁନାମିରେ ଭାରତ ସମେତ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବହୁ ଦେଶର ଭୀଷଣ କ୍ଷୟକ୍ଷତି ହୋଇଥିଲା। ଏହି କ୍ଷତିର ଭରଣା କରିବା ପାଇଁ ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ଆଗେଇ ଆସିଥିଲେ। ଏଣୁ ଏହି ଦେଶମାନଙ୍କୁ ସୁନାମି କୋର୍ ଗ୍ରୁପ୍ ବୋଲି ଆକ୍ଷା ଦିଆଯାଇଥିଲା। କ୍ଷତି ଭୋଗିଥିବା ଦେଶଗୁଡ଼ିକ ନିଜର ପରିସ୍ଥିତି ସଜାଡ଼ିବା ପରେ ଏହି କୋର୍ ଗ୍ରୁପ୍ ଭାଙ୍ଗି ଯାଇଥିଲା।
ପରେ ୨୦୦୭ ମସିହାରେ ଜାପାନର ତତକାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପ୍ରୟାସରେ ଏହି କୋର୍ ଗ୍ରୁପ୍ କ୍ୱାଡରେ ପରିଣତ ହୋଇଥିଲା। ହେଲେ ୨୦୦୮ ମସିହାରେ ଅଷ୍ଟ୍ରେଲିଆ ଓହରି ଯିବାପରେ ଗ୍ରୁପଟି ପୁଣି ଭାଙ୍ଗି ଯାଇଥିଲା।
୨୦୧୭ରେ ଏହି କ୍ୱାଡ୍ ଗ୍ରୁପ୍ ପୁଣି ସକ୍ରିୟ ହୋଇଥିଲା। ଆଉ ଏଥିରେ ଯୋଡ଼ା ଯାଇଥିଲା ସୁରକ୍ଷା ଓ ବ୍ୟବସାୟ ନୀତି। ଭାରତ-ପ୍ରଶାନ୍ତ ମହାସାଗରର ତଟ ରକ୍ଷା ଏବଂ ଏହି ମହାସାଗର ଦେଇ ବ୍ୟବସାୟ ନୀତିକୁ ବିଶେଷ ଗୁରୁତ୍ୱ ଦେଉଛି କ୍ୱାଡ୍ ଗ୍ରୁପ୍। ଏହାସହ ସଦସ୍ୟ ରାଷ୍ଟ୍ରଙ୍କ କ୍ଷେତ୍ରୀୟ ସୁରକ୍ଷାକୁ ନେଇ ଏହି ଗ୍ରୁପ୍ ବିଭିନ୍ନ ପଦକ୍ଷେପ ନେଇଥାଏ।
କ୍ୱାଡ୍ ଗ୍ରୁପର ସଦସ୍ୟମାନେ ୨୦୧୭ ମସିହା ପରଠାରୁ ବିଭିନ୍ନ ସମୟରେ ଏକାଠି ହୋଇ ସମ୍ମିଳନୀ କରିଥାନ୍ତି। ରୋଟେସନ୍ ଆଧାରରେ ସଦସ୍ୟ ଦେଶମାନଙ୍କରେ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।
Tags: #QUADGroup #QUADSummit #Indo-Pacific #Security