ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏବେ ଦେଶର ରାଜନୀତି ସରଗରମ ହେବାରେ ଲାଗିଛି। ତେବେ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସାରା ଦେଶରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ (ସିଏପିଏଫ) ମୁତୟନ ହେବେ। ଏନେଇ ଓଡ଼ିଶାକୁ ୭୫ କମ୍ପାନି କେନ୍ଦ୍ରୀୟ ବାହିନୀ ଆସିବେ।

ପ୍ରଥମ ପର୍ଯ୍ୟାୟରେ ଶନିବାର ଓଡ଼ିଶାରେ ୧୫ କମ୍ପାନି ସିଏପିଏଫ ଫୋର୍ସ ପହଞ୍ଚିବେ। ସେମାନଙ୍କୁ ୧୫ଟି ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯିବ। ପରେ ଆଉ ୬୦ କମ୍ପାନି ଫୋର୍ସ ରାଜ୍ୟକୁ ଆସିବେ। ଏନେଇ ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

“ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଖାସ କରି ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି। ଏହାସହ ନିର୍ବାଚନ ସମୟରେ ବିଭିନ୍ନ ବେଆଇନ ଗତିବିଧିକୁ ରୋକିବା ପାଇଁ ଆମେ ଯୋଜନା କରିଛୁ”, କହିଛନ୍ତି ସଞ୍ଜୟ କୁମାର।

ତେବେ ରାଜ୍ୟର କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ ଫୋର୍ସ ମୁତୟନ ହେବେ ସେନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ। ପରିସ୍ଥିତି ଦେଖି ଅଧିକ ସଂଖ୍ୟାରେ ମଧ୍ୟ ଫୋର୍ସ ମୁତୟନ କରାଯିବ।    

Tags: #IndianGeneralElections #Security #CAPF #Odisha  

Comment