ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ଵରେ ଜଳବାୟୁ ପରିବର୍ତ୍ତନର ବେଗ ଦ୍ରୁତ ହେବାରେ ଲାଗିଛି। ଏଥିଯୋଗୁଁ କେଉଁଠି ପ୍ରବଳ ଗରମ ଅନୁଭୂତ ହେଉଛି ତ ଆଉ କେଉଁଠି ଶୀତଦିନେ ମଧ୍ୟ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଏହିପରି ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଣ୍ଟାର୍କଟିକାରେ ମଧ୍ୟ ଦେଖିବାକୁ ମିଳୁଛି।

ତାପମାତ୍ରା ବୃଦ୍ଧି ଯୋଗୁଁ ଏବେ ଆଣ୍ଟାର୍କଟିକା ଥିବା ବିରାଟ ବରଫଖଣ୍ଡ ଓ ଗ୍ଲାସିୟର୍ ତରଳି ଭୂମି ସବୁଜ ଦେଖାଗଲାଣି। ଇଂଲଣ୍ଡର ୟୁନିଭର୍ସିଟି ଅଫ୍ ଏକ୍‌ଜିଟର୍ ଏବଂ ୟୁନିଭର୍ସିଟି ଅଫ୍ ହେର୍ଟଫୋର୍ଡସାଇର୍‌ର ବୈଜ୍ଞାନିକମାନେ ସାଟେଲାଇଟ୍ ଫଟୋ ଓ ତଥ୍ୟର ବିଶ୍ଲେଷଣ କରି ଏ ସମ୍ପର୍କିତ ଏକ ଜର୍ଣ୍ଣାଲ୍ ପ୍ରକାଶ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଦୀର୍ଘ ୪୦ ବର୍ଷରେ ପ୍ରଥମଥର ପାଇଁ ଆଣ୍ଟାର୍କଟିକାରେ ଭୂଇଁ ସବୁଜ ଦେଖାଯାଉଛି।

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ପାଇବାର ଏହା ହେଉଛି ସତର୍କ ଘଣ୍ଟି। ଏହାସହିତ ରିସର୍ଚ୍ଚର୍‌ଙ୍କ କହିବା ଅନୁସାରେ ଦୀର୍ଘ ୪ ଦଶନ୍ଧି ପରେ ଭୂଇଁରେ ୧୦ ଭାଗ ଅଧିକ ଶୈବାଳ ଜାତୀୟ ଉଦ୍ଭିଦ ଦେଖିବାକୁ ମିଳିଛି। ତେବେ ଆଣ୍ଟାର୍କଟିକାରୁ ବରଫ ତରଳିବା ସମଗ୍ର ବିଶ୍ଵ ପାଇଁ କ୍ଷତିକାରକ ହେବ।  

୧୯୮୬ରେ ଆଣ୍ଟାର୍କଟିକାରେ ଏହି ସବୁଜୀମା ୦.୪ ବର୍ଗମାଇଲ୍ ଥିଲା। କିନ୍ତୁ ୨୦୨୧ରେ ଏହି ସବୁଜୀମା ୫ ବର୍ଗମାଇଲ୍‌କୁ ବ୍ୟାପକ ହୋଇଥିଲା। ୨୦୧୬ରୁ ୨୦୨୧ ପ୍ରାୟ ୫ ବର୍ଷ ମଧ୍ୟରେ ଏହି ସବୁଜୀମା ୩୦ ପ୍ରତିଶତ ବୃଦ୍ଧି ପାଇଛି। ଦ୍ରୁତ ଜଳବାୟୁ ପରିବର୍ତ୍ତନ ଏବେ ଆଣ୍ଟାର୍କଟିକା ଉପଦ୍ୱୀପ ଉପରେ ଏପରି ପ୍ରଭାବ ପକାଉଛି ଯେ, ଏହାର ପରିବର୍ତ୍ତିତ ପରିସ୍ଥିତି ମହାକାଶରୁ ମଧ୍ୟ ଦେଖିବାକୁ ମିଳୁଛି।

ସମାନ୍ତରାଳ ଭାବେ ପୃଥିବୀରେ କାର୍ବନ-ଡାଇଅକ୍ସାଇଡ୍‌ର ପରିମାଣ ବଢ଼ିବା ଏବଂ ଏଥିଯୋଗୁଁ ବରଫ ତରଳିବା ଏବେ ପରିବେଶ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଦୀର୍ଘ ୧୦୦ ବର୍ଷ ପରେ ଏପରି ଘଟଣା ଘଟିଛି ବୋଲି ନ୍ୟୁଜ୍‌ଲାଣ୍ଡ ସ୍ଥିତ ଭିକ୍ଟୋରିଆ ୟୁନିଭର୍ସିଟିର ଜଣେ ବିଶିଷ୍ଟ ପରିବେଶ ବିଜ୍ଞାନୀ ସୂଚନା ଦେଇଛନ୍ତି।

ସମସ୍ତେ ଜାଣନ୍ତି ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ଶୀତଳ ସ୍ଥଳଭାଗ। ସାଧାରଣ ଭାବେ ଏଠାକାର ହାରାହାରି ତାପମାତ୍ରା ମାଇନସ୍ ୫୭ ଡିଗ୍ରୀ ସେଲସିୟସ ରହିଥାଏ। ହେଲେ ଚଳିତ ଗ୍ରୀଷ୍ମଋତୁରେ ଏଠାର ହାରାହାରି ତାପମାତ୍ରା ବଢ଼ିଥିଲା। ଦୀର୍ଘ ଦଶନ୍ଧି ମଧ୍ୟରେ ଏପରି ଭାବେ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଏବେ ବିଶ୍ୱ ପରିବେଶ ପାଇଁ ନୂଆ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି।

Tags: #Antarctica #IceMelting #ClimateChange

LEAVE A REPLY

Please enter your comment!
Please enter your name here