ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର ପାଇବେ ‘ବସନ୍ତ ମୁଦୁଲି କବିତା ପୁରସ୍କାର ୨୦୨୪’। ଏ ନେଇ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ଘୋଷଣା କରାଯାଇଛି।

ଆସନ୍ତା ନଭେମ୍ବର ୩ ତାରିଖରେ ଭଦ୍ରକଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ସୂଚନା ଦେଇଛନ୍ତି।

କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ‘ବସନ୍ତ ମୁଦୁଲି କବିତା ପୁରସ୍କାର’ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ଉପଦେଷ୍ଟା ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଶାନ୍ତନୁ ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା, ଉପସଭାପତି କବି କିଶୋର ପାଣିଗ୍ରାହୀ, ସମ୍ପାଦକ କୃଷ୍ଣ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଅମିତାଭ ଖିଲାର, ସଂଯୋଜକ ଅରୁଣ ଖିଲାର ଏବଂ ନନ୍ଦା ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ବିଚାରମାନଙ୍କ ମତାମତ ଆଧାରରେ ଏହି ଅବସରରେ ଚଳିତ ବର୍ଷ ପାଇଁ ‘ବସନ୍ତ ମୁଦୁଲି କବିତା ପୁରସ୍କାର’ ଘୋଷଣା କରାଯାଇଥିଲା।

ଆସନ୍ତା ନଭେମ୍ବର ୩ ତାରିଖ ଦିନ ୧୦ଟା ସମୟରେ ଭଦ୍ରକସ୍ଥିତ ସଂସ୍କୃତିଭବନଠାରେ ଅନୁଷ୍ଠିତ ହେବାକୁ ଥିବା ୩୮ ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ଓ ମାନପ‌ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ ବୋଲି ସଂସଦର ସଂଯୋଜକ ଅରୁଣ ଖିଲାର କହିଛନ୍ତି।  

କବି ଜ୍ଞାନୀ ଦେବାଶିଷ ମିଶ୍ର ଓଡ଼ିଆ କବିତା କ୍ଷେତ୍ରରେ ବେଶ ପରିଚିତ। ୧୯୮୫ ମସିହାରେ ନୟାଗଡ଼ଠାରେ ଜନ୍ମ ଗ୍ରହଣ କରିଥିବା କବି ଜ୍ଞାନୀ ଦେବାଶିଷ ମିଶ୍ର ସମ୍ପ୍ରତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ। ତାଙ୍କ ରଚିତ ୧୦ଟି କବିତା ପୁସ୍ତକ ମଧ୍ୟରେ ରହିଛି ‘ତଥାପି ଜୀବନ’, ‘ଦାଗ’, ‘ପୟରେ ନଲାଗଇ ଧୂଳି’, ‘ତରା ଓ ଫଜେରା’ ପାଠକୀୟ ଆଦୃତି ଲାଭ କରିଛି। ସେହିପରି ତାଙ୍କ ଲିଖିତ ସମାଲୋଚନା ପୁସ୍ତକ ‘ସମୟ ସହ କେଇପାଦ’, ‘କଥାଦୃଷ୍ଟି’, ‘ନାଟ୍ୟ ପରିକ୍ରମା’ ଆଦି ବେଶ ପ୍ରଶଂସା ସାଉଣ୍ଟିଛି।

Tags: #KabiBasantaMuduliKabitaPuraskar2024 #Awared #DebashishMishra #Odisha

LEAVE A REPLY

Please enter your comment!
Please enter your name here