ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହୋଇଛି ଚଳିତ ବର୍ଷର ପଦ୍ମ ସମ୍ମାନ। ଚଳିତ ଥର ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏଥର ଓଡ଼ିଶାର ୪ ଜଣ ବିଶିଷ୍ଟ କଳାକାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ବଲିଉଡର ବର୍ଷୀୟାନ ଅଭିନେତ୍ରୀ ବୈଜୟନ୍ତିମାଲା ବାଲି, ସାଉଥ ସୁପରଷ୍ଟାର ଚିରଞ୍ଜୀବୀ ଏବଂ ପଦ୍ମ ଶୁବ୍ରମଣ୍ୟମଙ୍କ ଚଳିତ ବର୍ଷ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣତ୍ତୋର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ।

ବଲିଉଡର ବର୍ଷୀୟାନ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ, ଗାୟିକା ଉଷା ଉଥୁପ୍ ଏବଂ ରାମନାୟକଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ସମ୍ମାନ ପାଇଁ ଘୋଷଣା କରାଯାଇଛି।

ଚଳିତ ବର୍ଷ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଥିବାବେଳେ ଏଥିରେ ଓଡ଼ିଶାରୁ ୪ ଜଣ ରହିଛନ୍ତି। ଗଞ୍ଜାମ ଜିଲ୍ଲାର କୃଷ୍ଣ ଲୀଳା ଲୋକନାଟ୍ୟର ପ୍ରସିଦ୍ଧ ଚେହେରା ୧୦୫ ବର୍ଷୀୟ ଗୋପୀନାଥ ସ୍ୱାଇଁଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଛି। କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିବା ଗୋପୀନାଥ ମାତ୍ର ୫ ବର୍ଷ ବୟସରୁ ଲୋକ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ଗୋପୀନାଥ କୃଷ୍ଣ ଲୀଳା ନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ଗାଁ ଗାଁରେ ଅଖାଡ଼ା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

ସେହିପରି ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଚଳିତ ବର୍ଷ ପାଇବେ ପଦ୍ମଶ୍ରୀ ସମ୍ମାନ। ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ କରିବା ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଶିଷ୍ୟଙ୍କୁ ଏହି କଳା ଶିଖାଇଛନ୍ତି। ସମ୍ବଲପୁରର ପ୍ରସିଦ୍ଧ କବି ବିନୋଦ ପଶାୟତ ଓ ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ଏ ବର୍ଷର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

Tags: #PadmaAward2024 #PadmaVibhushan #PadmaBhushana #PadmaShri #Award #India

Comment