ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି ଓଡ଼ିଶାର ୬ ଜଣ ଗୁରୁ।

ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ମୋଟ ୭୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ରେ ସମ୍ମାନିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ରହିଛନ୍ତି।

ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଏହି ଓଡ଼ିଆ ଶିକ୍ଷକମାନେ ହେଲେ ଭଦ୍ରକ ଜିଲ୍ଲା କାନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମା, ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ହାଇସ୍କୁଲର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ, ଭୁବନେଶ୍ଵର ରାଜଭବନ ନିକଟସ୍ଥ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହ, ଜଟଣୀ ଖୁଦପୁରସ୍ଥିତ ଭିନ୍ନକ୍ଷମଙ୍କ ସ୍ଵତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଉତ୍ତରପ୍ରଦେଶର ମିରଟସ୍ଥିତ କେଏଲ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ ସୁଧାଂଶୁ ଶେଖର ପଣ୍ଡା ଓ ଗୁଜୁରାଟର ଭାରତୀୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନରେ କାର୍ଯ୍ୟରତ ପ୍ରଫେସର ଡକ୍ଟର ସତ୍ୟରଞ୍ଜନ ଆଚାର୍ଯ୍ୟ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ପୁରସ୍କୃତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରସ୍କାର ସ୍ଵରୂପ ପ୍ରତି ଶିକ୍ଷକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି, ପ୍ରମାଣପତ୍ର ଏବଂ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ଡକ୍ଟର ରାଜକୁମାର ସିଂହ ଏବଂ ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Education #Award #NationalTeachersAward #OdiaTeachers #PresidentOfIndia #Odisha

Comment