ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ
  • ପ୍ରଗତିଶୀଳ ସାମ୍ବାଦିକମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ
  • ଲୋକ ସାମ୍ବାଦିକ ହିଁ ଲୋକଙ୍କ ମନ କଥା ବୁଝେ ଓ ଲୋକଙ୍କ କଥା କୁହେ

ଭାରତର ଅଗ୍ରଣୀ ତଥା ବହୁ ଭାଷୀ ସ୍ୱାସ୍ଥ୍ୟଭିତ୍ତିକ ଡିଜିଟାଲ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍’ ନେଟୱର୍କକୁ ମିଳିଛି ‘ଓଡ଼ିଶା ମିଡିଆ ଆୱାର୍ଡ-୨୦୨୨’। ‘ବେଷ୍ଟ ୟୁଜ ଅଫ ନ୍ୟୁ ମିଡିଆ’ ବର୍ଗରେ ଏହି ପୁରସ୍କାର ମିଳିଛି। ନମସ୍କାର କମ୍ୟୁନିଟି ମିଡିଆ ନେଟୱର୍କ ଏବଂ ୟଙ୍ଗ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର କୋଣାର୍କଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ୧୩ଟି ଭାରତୀୟ ଭାଷାରେ ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତ କରି ‘ସ୍ୱାସ୍ଥ୍ୟପ୍ଲସ୍’ ନେଟୱର୍କ ବିଶେଷ ଲୋକପ୍ରିୟତା ହାସଲ କରିପାରିଛି।

ଏହି ଅବସରରେ ବିରୁପାକ୍ଷ ତ୍ରିପାଠୀଙ୍କୁ ଏଡିଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ବିରଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଏବଂ ରବି ଦାସଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ସମ୍ମାନିତ କରାଯାଇଛି। ଏଥିସହିତ ସ୍ତମ୍ଭକାର ଅଶୋକ ସାହୁ, ସମ୍ବାଦ ପାଠିକା ସୁପ୍ରିୟା ଦାସ, କାର୍ଟୁନିଷ୍ଟ ଦେବାଶିଷ ସିଂ, ଶତରୁପା ସାମନ୍ତରାୟ, ଆଲୋକ କୁମାର ପତି, ଲକ୍ଷ୍ମୀ ନାରୟଣ କାନୁନଗୋ, ବିନୟ ଭୂଷଣ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ରଞ୍ଜନ ରଥ, ବିଦେଶିନୀ ପଟେଲଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଶ୍ରେଷ୍ଠ ମିଡିଆ ଅନୁଷ୍ଠାନ ପାଇଁ ଜାଭିୟର ବିଶ୍ଵବିଦ୍ୟାଳୟ, ଶ୍ରେଷ୍ଠ ଗୋଷ୍ଠୀ ବେତାର କାର୍ଯ୍ୟକ୍ରମ ପାଇଁ ରେଡିଓ ସୁରଭିର ‘ଶିକ୍ଷା ସୁରଭି’, ଫଟୋ ସାମ୍ବାଦିକ ଅରବିନ୍ଦ ମହାପାତ୍ର ଏବଂ ଖବର କାଗଜ ସଂଗ୍ରହ ପାଇଁ ପେପର ମ୍ୟାନ ଶଶାଙ୍କ ଶେଖର ଦାଶଙ୍କୁ ସମ୍ମାନିତ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ବିରଷ୍ଠ ସାମ୍ବାଦିକ ରବି ଦାସ, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ, ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଉପ ସଭାପତି ଡକ୍ଟର ଶିଶିର କୁମାର ଦାସ, ଆକ୍ସନ ଏଡର ନିର୍ଦ୍ଦେଶକ ସନ୍ଦୀପ ଚାଚ୍ରା, ୟୁନିସେଫର ମିଡିଆ ପରାମର୍ଶଦାତା ଶାରଦା ଲାହାଙ୍ଗିର, ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍ ଏ ସଫିକ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ନିଜର ମତ ରଖିଥିଲେ।

ବିରଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅଂଶଗ୍ରହଣକାରୀମାନେ ନିଜର ଅଭିଜ୍ଞତା ସମ୍ପର୍କରେ କହିଥିଲେ। ଓଡ଼ିଶା ମିଡିଆ ଆୱାର୍ଡରେ ୟୁନେସ୍କୋ, ୟୁନିସେଫ୍‌, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କୁମୁଦ ଶତପଥୀ, ମହମ୍ମଦ ନିୟାଜ, ରୋଜାଲିନ ପ୍ରଧାନ, ଶାହାଜାଦୀ କାଜଲ, ଅନୁପ କୁମାର ସାହୁ, ଅନ୍ଦାଜ ଆରନ, ଟିକିନା ରାଉତ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ରାଉତ ଓ ଯାଜ୍ଞସେନୀ ସଂଯୋଜନା କରିଥିଲେ। ଶେଷରେ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପରୀକ୍ଷା ନିରୀକ୍ଷା, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଅଙ୍ଗୀକାର, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଓଡ଼ିଶା ମିଡିଆ ସମିଟ୍ ଓ ଓଡ଼ିଶା ମିଡିଆ ଆୱାର୍ଡ ଏକ ଗଠନାତ୍ମକ ପ୍ରୟାସ। ରାଜ୍ୟରେ ଲୋକାଭିମୁଖି ସାମ୍ବାଦିକତାକୁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ ପୂର୍ବକ କିଛି ସାମ୍ବାଦିକ ତଥା ପ୍ରତିବଦ୍ଧ ସମାଜସେବୀଙ୍କ ଦ୍ୱାରା ୨୦୧୫ ମସିହାରୁ ଏହି ପରିକଳ୍ପନା କରାଯାଇଛି। ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଏବଂ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବା ତଥା ସାମ୍ବାଦିକତାର ବିଭିନ୍ନ ଦିଗ ଓ ପ୍ରଚଳିତ ଧାରା ଉପରେ ଆଲୋଚନା ଏହାର ଲକ୍ଷ୍ୟ ବୋଲି ଆୟୋଜକ ସଂସ୍ଥା ନମସ୍କାର କମ୍ୟୁନିଟି ମିଡିଆ ନେଟୱର୍କର ମୁଖ୍ୟ ଏନ୍ ଏ ଶାହା ଅନସାରୀ କହିଛନ୍ତି।

Tags: #OdishaMediaAward #OdishaMediaAward2022 #SwasthyaPlus #SwasthyaPlusGetsOdishaMediaAward2022 #Award #BestUseOfNewMediaCategory

Comment