ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଜାରେ ଗୁରୁବାର ଦିନ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଛନ୍ତି। ଏହାସହ ଏହି ଆକ୍ରମଣରେ ଅନ୍ୟ ହମାସର ଅନ୍ୟ ୩ ଜଣ ବରିଷ୍ଠ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି। ଏବେ ଆକ୍ରମଣ ପରେ ୟାହ୍ୟା ସିନୱାରଙ୍କ ଶେଷ ମୂହୁର୍ତ୍ତର ଭିଡିଓ ଭାଇରାଲ ହେବାରେ ଲାଗିଛି।   

ୟାହ୍ୟା ସିନୱାର ଇସ୍ରାଏଲର ସବୁଠାରୁ ବଡ଼ ଶତ୍ରୁ ଥିଲେ। କାରଣ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣର ସେ ମାଷ୍ଟରମାଇଣ୍ଡ ଥିଲେ ବୋଲି ଅଭିଯୋଗ ହେଉଥିଲା।

ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ କିଛି ମାସ ତଳେ ହମାସର ପୂର୍ବତନ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରିଥିଲା। ଏହାପରେ ଏହାପରେ ୟାହ୍ୟା ସିନୱାରଙ୍କୁ ହମାସର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ମିଳିଥିଲା। ଏବେ ତାକୁ ମଧ୍ୟ ଇସ୍ରାଏଲ ସେନା ନିପାତ କରି ଦେଇଛି। ଏହାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

ଭାଇରାଲ ହେଉଛି ସିନୱାରଙ୍କ ମୂହୁର୍ତ୍ତର ଶେଷ ଭିଡିଓ

ସିନୱାରଙ୍କ ହତ୍ୟା ଖବର ସାମ୍ନାକୁ ଆସିବା ପରେ ଇସ୍ରାଏଲ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।  ଯେଉଁଥିରେ ଏୟାରଷ୍ଟ୍ରାଇକ୍ ସିନୱାର ରକ୍ତ ଜୁଡୁବୁଡୁ ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଛି। ସେ ବସିଥିବା ଘରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ସିନୱାରଙ୍କ ଡାହାଣ ହାତ ବି କଟି ଯାଇଛି। ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରି ସେ ବିଫଳ ହେଉଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ।

ସିନୱାର କିଏ ଏବଂ କେମିତି ପାଲଟିଲେ ଇସ୍ରାଏଲର ଶତ୍ରୁ

୧୯୬୨ ମସିହା ଅକ୍ଟୋବର ୨୯ ତାରିଖରେ ଗାଜାର ଏକ ଶରଣାର୍ଥୀ ଶିବିରରେ ସିନୱାରଙ୍କ ଜନ୍ମ ହୋଇଥିଲା। ପ୍ରାରମ୍ଭିକ ସମୟରେ ହିଁ ସେ ଇସ୍ରାଏଲ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଥିଲେ।

ଏହାପରେ ୧୯୮୦ ଦଶକର ଶେଷ ଭାଗରେ ସିନୱାରଙ୍କୁ ଇସ୍ରାଏଲ ଗିରଫ କରିଥିଲା। କାରଣ ସେ ଇସ୍ରାଏଲ ସହ କାମ କରୁଥିବା ୧୨ ଜଣ ଲୋକଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ତାଙ୍କୁ ‘ଖାନ ୟୁନିସର କଂସେଇ’ ବୋଲି ଆଖ୍ୟା ମିଳିଥିଲା ।

୧୯୮୭ ମସିହାରେ ହମାସର ଗଠନ ସହ ସେ ଏଥିରେ ସହ ସାମିଲ ହୋଇଥିଲେ। ପ୍ରଥମେ ସେ ହମାସର ସିକ୍ୟୁରିଟି ୱିଙ୍ଗର ନେତୃତ୍ୱ ନେଉଥିଲେ ଯାହାର ଲକ୍ଷ୍ୟ ଥିଲା ଇସ୍ରାଏଲକୁ ମୂଳପୋଛ କରିଦେବା।

ପରେ ତାଙ୍କୁ ୨ ଜଣ ଇସ୍ରାଏଲର ସେନା ଅଧିକାରୀଙ୍କ ହତ୍ୟା ସମେତ ଅନ୍ୟାନ୍ୟ  ଅପରାଧିକ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଆଜୀବନ କାରାବାସ ମିଳିଥିଲା। ସିନୱାର ଇସ୍ରାଏଲର ଜେଲରେ ଥିବା ସମୟରେ ୨୦୦୮ ମସିହାରେ ତାଙ୍କୁ ବ୍ରେନ କ୍ୟାନ୍ସର ହୋଇଥିଲା। ତେବେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ସେ ବଞ୍ଚି ଯାଇଥିଲେ।

୨୦୧୧ ମସିହାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁ ହମାସ ଦ୍ୱାରା ଅଟକ ଥିବା ଇସ୍ରାଏଲର ସୈନ୍ୟଙ୍କୁ ମୁକୁଳାଇବା ବଦଳରେ ୧୦୦୦ ଜଣ ପାଲେଷ୍ଟାଇନର କଏଦୀଙ୍କୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ମଧ୍ୟରେ ସିନୱାର ମଧ୍ୟ ସାମିଲ ଥିଲେ।

ଏହାପରେ ହମାସ ସଂଗଠନରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା ଓ ସେ ସଂଗଠନରେ ବଡ଼ ପଦବୀରେ ଅଧିଷ୍ଠିତ ହୋଇଥିଲେ।

Tags: #YahyaSinwar #HamasChief #Assasination #AirStrike #Gaza #Israel

Comment