ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ଦିନ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ଚଳିତ ବର୍ଷର ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ଵରୂପ ମାନପତ୍ର ଓ ଉପଢ଼ୌକନ ସହ ୫ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।
ସଂସଦର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ସମାଲୋଚକ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ କହିଥିଲେ, “କବି ବସନ୍ତ ମୁଦୁଲିଙ୍କୁ ବିଦ୍ରୋହୀ କବି ଭାବରେ ବର୍ଣ୍ଣନା କରାଯାଉଥିବାବେଳେ ପ୍ରକୃତରେ ସେ ତାଙ୍କ କବିତାରେ ମାନବବାଦର କଥା ବଖାଣିଛନ୍ତି।”
ସେହିପରି ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବୟିତ୍ରୀ ଅପର୍ଣ୍ଣା ମହାନ୍ତି ଯୋଗଦେଇ କହିଥିଲେ, କବି ବସନ୍ତ ମୁଦୁଲିଙ୍କ ପ୍ରତ୍ୟେକ କବିତାରେ ଗୋଟିଏ ଚରିତ୍ର ଥାଏ, ସେଇ ଚରିତ୍ର ହେଉଛି ସତ୍ୟ ଓ ପ୍ରେମ। କବିତାର ଚରିତ୍ରରେ ସତ୍ୟତା ରହିବା ଜରୁରୀ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ। ସେହିପରି ସଂସଦର କାର୍ଯ୍ୟକାରୀ ସଭାପତି କବି ନିରାକାର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ସଂସଦର ଉପସଭାପତି କବି କିଶୋର ପାଣିଗ୍ରାହୀ।
ଏହି ଅବସରରେ କବି ବସନ୍ତ ମୁଦୁଲିଙ୍କ କବିତା ପାଠ କରିଥିଲେ କବି ସରୋଜ ବଳ, ଗାଳ୍ପିକା ହିରଣ୍ମୟୀ ମିଶ୍ର ଓ କବୟିତ୍ରୀ ମମତା ସାହୁ ପ୍ରମୁଖ। କବି ପତିତପାବନ ପାଣି ମାନପତ୍ର ପାଠ କରିଥିଲେ।
ସଙ୍ଗୀତଜ୍ଞ ରୁଦ୍ର ମାଧବ ବାରିକ ଏବଂ ତାଙ୍କ ସାଥୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ସଙ୍ଗୀତଜ୍ଞ ସୁବାଷ ରାମ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହସମ୍ପାଦକ ଅମିତାଭ ଖିଲାର। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି ଓ ଲେଖକମାନେ ଯୋଗ ଦେଇଥିଲେ।
Tags: #KabiBasantaMuduliKabitaPuraskar2024 #Awared #DebashishMishra #Odisha