ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦଶମାସ ଗର୍ଭରେ ଧରି ଯେଉଁ ସନ୍ତାନକୁ ଜନ୍ମ ଦେଲେ, ତାକୁ ମାତ୍ର କିଛି ଟଙ୍କାରେ ବିକ୍ରି କରିଦେଲେ। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ବସ୍ତିରୁ।

ନୂଆପଡ଼ା ବସ୍ତିର ରାହୁଲ ଧନବେଡ଼ାଙ୍କ ପତ୍ନୀ କୁମୁଦ ଗାଣ୍ଟା ନଭେମ୍ବର ୩ ତାରିଖରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ୯ ଦିନ ପରେ ୨୦ ହଜାର ଟଙ୍କା ବଦଳରେ ଆନ୍ଧ୍ରପ୍ରଦେଶର ଦମ୍ପତିଙ୍କୁ ନିଜ ଶିଶୁ କନ୍ୟାକୁ ସେମାନେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।

ଏ ସମ୍ପର୍କରେ ସୂଚନା ପାଇ ଶିଶୁ କଲ୍ୟାଣ କମିଟି ସଦସ୍ୟ ନୂଆପଡ଼ା ବସ୍ତିରେ ପହଞ୍ଚି ରାହୁଲ ଓ କୁମୁଦଙ୍କୁ ପିଲା ବିକ୍ରି କଥା ପଚାରିଥିଲେ। ତେବେ ଶିଶୁକନ୍ୟାକୁ ବିକ୍ରି କରିବା କଥାକୁ ଦୁହେଁ ଅସ୍ଵୀକାର କରିଥିଲେ।

ଶିଶୁକନ୍ୟାଙ୍କ ବାପା ରାହୁଲ କହିଛନ୍ତି, ଦିନ ମଜୁରିଆ ଭାବେ କାମ କରି ସେ ପରିବାର ଚଳାଉଛନ୍ତି। କାମ ନମିଳିବା ଦିନ ଭୋକରେ ରୁହନ୍ତ ପୂରା ପରିବାର। ପୂର୍ବରୁ ତାଙ୍କର ୩ ବର୍ଷର ଗୋଟିଏ ଝିଅ ଅଛି। ଆଉ ଗୋଟିଏ ସନ୍ତାନର ଲାଳନପାଳନ କରିବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ। ଏହି କାରଣରୁ ନିଜ ଶିଶୁର ପାଳନପାଳନ ପାଇଁ ସେ ଅନ୍ୟ ଦମ୍ପତିଙ୍କୁ ଦେଇଛନ୍ତି।

ରାହୁଲଙ୍କଠାରୁ ନମ୍ବର ଆଣି ଶିଶୁକନ୍ୟାକୁ ନେଇଥିବା ଦମ୍ପତିଙ୍କ ସହ ଶିଶୁ କଲ୍ୟାଣ କମିଟି ସଦସ୍ୟ କଥା ହୋଇଥିଲେ। ତୁରନ୍ତ ଶିଶୁକୁ ଧରି ହାଜର ହେବା ପାଇଁ କହିଥିଲେ।

ବୁଧବାର ଦିନ ଆନ୍ଧ୍ରପ୍ରଦେଶର ଦମ୍ପତି ଶିଶୁକନ୍ୟାକୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛନ୍ତି। ତେବେ ବାପା ମା’ଙ୍କ ସମ୍ମତି ଅନୁସାରେ ଶିଶୁଟିକୁ ସେମାନେ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି। ତେବେ ଆନ୍ଧପ୍ରଦେଶର ଦମ୍ପତି ବେଆଇନ ଭାବେ ଶିଶୁଟିକୁ ନେଇନଥିବା ଶିଶୁ କଲ୍ୟାଣ କମିଟି ସଦସ୍ୟ କହିଛନ୍ତି।

ଶିଶୁ ବିକ୍ରି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେବା ପରେ ନୂଆପଡ଼ା ବସ୍ତିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ।

କ’ଣ ଥିଲ ପୂରା ଘଟଣା?

ନିଜ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ରାହୁଲ ଓ କୁମୁଦ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗାଁର କେ.ଚନ୍ଦ୍ରଶେଖରଙ୍କ ସହ ଯୋଗାଯୋଗ କରିଥିଲେ। ନଭେମ୍ବର ୧୧ ତାରିଖରେ ଚନ୍ଦ୍ରଶେଖର ନିଜ ପତ୍ନୀଙ୍କ ସହ ରାୟଗଡ଼ା ଆସିଥିଲେ। ଏକ ବୁଝାମଣାପତ୍ରରେ ଦସ୍ତଖତ କରି କୁମୁଦଙ୍କ ନବଜାତ ଶିଶୁକନ୍ୟାକୁ ସାଙ୍ଗରେ ନେଇଯାଇଥିଲେ।

ପରେ ନିଜ ସନ୍ତାନ ଘରୁ ଉଭାନ ହୋଇଯାଇଥିବା ରାହୁଲ ଓ କୁମୁଦ ଅଭିଯୋଗ କରିଥିଲେ। ଏହାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ସ୍ଥାନୀୟ ଅଙ୍ଗନବାଡ଼ି ଓ ଆଶାକର୍ମୀ। ତେବେ କୁମୁଦଙ୍କ ଶିଶୁ ବିଷୟରେ କିଛି ଜାଣିନଥିବା ଉଭୟ ଅଙ୍ଗନବାଡ଼ି ଓ ଆଶାକର୍ମୀ କହିଥିଲେ। ଏ ନେଇ ଅଙ୍ଗନବାଡ଼ି କର୍ମୀ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଶିଶୁ କଲ୍ୟାଣ କମିଟି ସଦସ୍ୟ ନୂଆପଡ଼ା ବସ୍ତିକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଷ୍ଟାମ୍ପ ପେପରରେ ବୁଝାମଣା କରି ୨୦ ହଜାର ଟଙ୍କା ବଦଳରେ ଆନ୍ଧ୍ରପ୍ରଦେଶର ଦମ୍ପତିଙ୍କୁ ରାହୁଲ ଓ କୁମୁଦ ନିଜ ଶିଶୁକନ୍ୟାକୁ ଟେକି ଦେଇଥିବା ଜଣାପଡ଼ିଥିଲା।

Tags: #NewbornBaby #ChildRights #Rayagada #ChildProtection

LEAVE A REPLY

Please enter your comment!
Please enter your name here