ମିନତି ମିଶ୍ର
ବଦଳିଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କର ଗଭର୍ଣ୍ଣର। ମଙ୍ଗଳବାର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ର ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ହେବେ ଆରବିଆଇ ଗଭର୍ଣ୍ଣର। ସେ ବୁଧବାର ଦାୟିତ୍ଵ ଗ୍ରହଣ କରିବେ। ସମସ୍ତେ ଜାଣନ୍ତି ରିଜର୍ବ ବ୍ୟାଙ୍କ ହେଉଛି ଦେଶର କେନ୍ଦ୍ରୀୟ ବ୍ୟାଙ୍କ। ଦେଶର ଅର୍ଥନୈତିକ ପଲିସି ତିଆରି କରିବା ସହିତ ଅର୍ଥନୀତି ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ ଆରବିଆଇ।
ଆପଣ ଜାଣନ୍ତି ଆରବିଆଇ ଗଭର୍ଣ୍ଣର କେତେ ଦରମା ପାଆନ୍ତି? ଏହି ଦରମା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟଙ୍କଠାରୁ କମ ନା ବେଶି? ଆସନ୍ତୁ ଜାଣିବା।
ଆରବିଆଇ ଗଭର୍ଣ୍ଣରଙ୍କ ଦରମା କେତେ?
ଆରବିଆଇ ଗଭର୍ଣ୍ଣରଙ୍କ ମାସିକ ଦରମା ୨.୫ ଲକ୍ଷ ଟଙ୍କା ରହିଛି। ଗଭର୍ଣ୍ଣରଙ୍କୁ ମିଳୁଥିବା ପୂରା ପ୍ୟାକେଜର ଏହା ଏକ ଅଂଶ। ଦରମା ସହିତ ଆରବିଆଇ ଗଭର୍ଣ୍ଣରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମାଗଣା ବାସଗୃହ, ଗାଡ଼ି, ମେଡିକାଲ ସୁବିଧା, ପେନସନ ସମେତ ଅନ୍ୟ ସୁବିଧା ମଧ୍ୟ ମିଳିଥାଏ। ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଥିବା ଉର୍ଜିତ ପଟେଲଙ୍କ ଦରମା ମଧ୍ୟ ୨.୫ ଲକ୍ଷ ଟଙ୍କା ଥିଲା। ଆରବିଆଇ ଗଭର୍ଣ୍ଣରଙ୍କୁ ମଧ୍ୟ ରହିବା ପାଇଁ ମୁମ୍ବାଇର ମାଲାବାର ହିଲ୍ସରେ ବହୁତ ବଡ଼ ଘର ମିଳିଥାଏ।
ସଞ୍ଜୟ ମାଲହୋତ୍ରାଙ୍କ ଶିକ୍ଷାଗତ ଯୋଗ୍ୟତା
ତେବେ ଶକ୍ତିକାନ୍ତ ଦାସଙ୍କ ପରେ ଆରବିଆଇର ଆଗାମୀ ଗଭର୍ଣ୍ଣର ହେବେ ସଞ୍ଜୟ ମାଲହୋତ୍ରା। ସେ ଜଣେ ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡରର ଆଇଏଏସ ଅଧିକାରୀ। ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିବା ପରେ ଆମେରିକାର ପ୍ରିଙ୍ଗଷ୍ଟନ ୟୁନିଭର୍ସିଟିରୁ ସେ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ କରିଛନ୍ତି।
ଏସବିଆଇ ଅଧ୍ୟକ୍ଷଙ୍କ ଦରମା
ଅନ୍ୟପଟେ ଏପଟେ ୨୦୨୪ ଅଗଷ୍ଟ ୨୮ ତାରିଖରେ ଚଲ୍ଲା ଶ୍ରୀନିବାସୁଲୁ ସେଟ୍ଟୀ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ। ୨୦୨୦ ସେ ଏସବିଆଇର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସିଏସ ସେଟ୍ଟୀଙ୍କ ମାସିକ ଦରମା ୩୯.୩ ଲକ୍ଷ ଟଙ୍କା।
୨୦୨୨-୨୩ରେ ଏସବିଆଇର ପୂର୍ବତନ ଅଧ୍ୟକ୍ଷ ଥିବା ଦିନେଶ ଖାରାଙ୍କ ମାସିକ ଦରମା ୩୭ ଲକ୍ଷ ଟଙ୍କା ଥିଲା। ମାସିକ ଦରମା ବ୍ୟତୀତ ଏସବିଆଇ ଚେୟାରମ୍ୟାନଙ୍କୁ ମୁମ୍ବାଇରେ ମାଲାବାର ହିଲ୍ସରେ ରହିବା ପାଇଁ ବଙ୍ଗଳା ମଧ୍ୟ ମିଳିଥାଏ।
ସିଏସ ସେଟ୍ଟୀ ଗତ ୩୫ ବର୍ଷ ଧରି ଏସବିଆଇ ସହ ଜଡ଼ିତ ଅଛନ୍ତି। ୧୯୮୮ରେ ସେ ଏସବିଆଇରେ ପିଓ ଭାବେ କାମ ଆରମ୍ଭ କରିଥିଲେ। ସେ କୃଷି ବିଜ୍ଞାନରେ ସ୍ନାତକ କରିବା ସହ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କର୍ସର ଜଣେ ସାର୍ଟିଫାଏଡ ଆସୋସିଏଟ ମଧ୍ୟ ରହିଛନ୍ତି।
Tags: #RBIGovernor #SBIChairman #Salary #Banking #India