ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ପହିଲାରୁ ସାରା ଦେଶରେ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଗ୍ୟାସ୍ ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହି ନୂଆ ନିୟମମାନ ଜାରି ହେବ। ତେଣୁ ଏହାପୂର୍ବରୁ ଏହି ନିୟମଗୁଡ଼ିକୁ ଜାଣି ରଖିବା ଆପଣଙ୍କ ପାଇଁ ବେଶ ଜରୁରୀ।

ଗ୍ୟାସ୍ ଡେଲିଭରି ପାଇଁ ଓଟିପି ବାଧ୍ୟତାମୂଳକ

ସାରା ଦେଶରେ ନଭେମ୍ବର ପହିଲାରୁ ଗ୍ୟାସ୍ ଡେଲିଭରିକୁ ନେଇ ଏକ ନୂଆ ନିୟମ ଜାରି ହେବାକୁ ଯାଉଛି। ଏହାଫଳରେ ଡେଲିଭରି ବୟଠାରୁ ଗ୍ୟାସ୍ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଓଟିପି ନମ୍ବର ଦେଖାଇବାକୁ ପଡ଼ିବ। ଓଟିପି ନମ୍ବର ବିନା ଗ୍ରାହକମାନେ ଏଥର ଆଉ ଗ୍ୟାସ୍ ପାଇପାରିବେ ନାହିଁ।

ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ ପାଇଁ ଦେବାକୁ ପଡ଼ିବ ଟଙ୍କା

ବ୍ୟାଙ୍କରେ ନିଜ ଟଙ୍କା ଜମା କରିବାକୁ ମଧ୍ୟ ଗ୍ରାହକମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ବ୍ୟାଙ୍କ୍ ଅଫ୍ ବରୋଦାରେ ନିଜ ଆକାଉଣ୍ଟ ଖୋଲିଥିବା ଗ୍ରାହକମାନଙ୍କ ପାଇଁ ଏହା ଏକ ବଡ଼ ସୂଚନା। ଏଣିକି ସେମାନେ ନିଜ ଆକାଉଣ୍ଟରେ କେବଳ ମାସକୁ ତିନିଥର ଟଙ୍କା ଜମା କରିପାରିବେ। ଯଦି ଏହାଠାରୁ ଅଧିକ ଥର ସେମାନେ ଟଙ୍କା ଜମା କରନ୍ତି ତେବେ ତାଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ଉଭୟ ଋଣ ଆକାଉଣ୍ଟ, ସଞ୍ଚିତ ଆକାଉଣ୍ଟ ପାଇଁ ଏହି ନିୟମ ଲାଗୁ ହେବ।ବଦଳିବ ଟ୍ରେନ୍ ଟାଇମ ଟେବୁଲ୍

ନଭେମ୍ବର ପହିଲାରୁ ସାରା ଦେଶରେ ଯାତାୟାତ କରୁଥିବା ଟ୍ରେନର ସମୟ ବଦଳିବ। ପୂର୍ବରୁ ପ୍ରତିବର୍ଷ ଅକ୍ଟୋବର ପହିଲାରେ ଟ୍ରେନର ସମୟ ବଦଳୁଥିଲା। ହେଲେ ଚଳିତ ବର୍ଷ ଏହା ନଭେମ୍ବର ୧ ତାରିଖରୁ ବଦଳିବ ବୋଲି କୁହାଯାଇଛି। ସେହିଦିନଠାରୁ ନୂଆ ସମୟ ଅନୁସାରେ ଦେଶରେ ଟ୍ରେନ୍ ଚଳାଚଳ କରିବ।

ଇଣ୍ଡିଆନ୍ ଗ୍ୟାସର ବୁକିଂ ନମ୍ବର ବଦଳିବ

ଇଣ୍ଡିଆନ୍ ଗ୍ୟାସ୍ ବ୍ୟବହାର କରୁଥିବା ହିତାଧିକାରୀଙ୍କ ପାଇଁ ଏହା ଜରୁରୀ ସୂଚନା। ଏବେ ସେମାନେ ନୂଆ ନମ୍ବର ଜରିଆରେ ଗ୍ୟାସ ବୁକ୍ କରିବେ। ଏଥିପାଇଁ ଇଣ୍ଡିଆନ୍ ଗ୍ୟାସ ନୂଆ ନମ୍ବର ଜାରି କରିଛି। ଯାହାର ନମ୍ବର ହେଉଛି ୭୭୧୮୯୫୫୫୫୫। ପୂର୍ବରୁ ବିଭିନ୍ନ ଅଞ୍ଚଳ ପାଇଁ କମ୍ପାନିର ଭିନ୍ନ ଭିନ୍ନ ଗ୍ୟାସ୍ ବୁକିଂ ନମ୍ବର ଥିଲା। ହେଲେ ଏବେ ସାରା ଦେଶ ପାଇଁ ଗୋଟିଏ ବୁକିଂ ନମ୍ବର ଜାରି କରିଛି ଇଣ୍ଡିଆନ୍ ଗ୍ୟାସ୍।

ବଦଳିବ ଗ୍ୟାସ ଦର

ପ୍ରତିମାସର ପ୍ରଥମ ଦିନରେ ତେଲ କମ୍ପାନିମାନେ ଗ୍ୟାସ ଦର ପରିବର୍ତ୍ତନ କରନ୍ତି। ତେଣୁ ନଭେମ୍ବର ପହିଲାରେ ବି ଗ୍ୟାସ ଦର ବଦଳିପାରେ। ତେବେ ଗ୍ୟାସ ଦର ବଢ଼ିବ ନା ଖସିବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comment