ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ। ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନ କୁମାରଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ।

ଫେବ୍ରୁଆରି ୧୨ ତାରିଖରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ମଙ୍ଗଳବାର ଦିନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ ସରସ୍ଵତୀ ବିହାର ମାମଲାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

୧୯୮୪ ମସିହାରେ ଦିଲ୍ଲୀରେ ହୋଇଥିଲା ଶିଖ ବିରୋଧୀ ଦଙ୍ଗା। ସେହି ବର୍ଷ ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ଵତୀ ବିହାର ଅଞ୍ଚଳରେ ଯଶଓ୍ଵନ୍ତ ସିଂ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ପରେ ତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ନେଇ ସରସ୍ଵତୀ ବିହାର ଥାନାରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ସେ ସମୟରେ କଂଗ୍ରେସର ସାଂସଦ ଥିବା ସଜ୍ଜନ କୁମାର ଏହି ଦଙ୍ଗା ଓ ଆକ୍ରମଣର ନେତୃତ୍ଵ ନେଇଥିଲେ। ଦଙ୍ଗାକାରୀଙ୍କୁ ଉସକେଇବା ଯୋଗୁଁ ସେମାନେ ଯଶଓ୍ଵନ୍ତ ସିଂ ଓ ତାଙ୍କ ପୁଅଙ୍କୁ ଜିଅନ୍ତା ଜାଳି ଦେଇଥିଲେ।

ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇବା ଲାଗି ଦିଲ୍ଲୀ ପୋଲିସ ଏବଂ ପୀଡ଼ିତଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା।

Tags: #SajjanKumar #FormerCongressMP #DelhiAntiShikRiots #MurderCase #LifeSentence

Comment