ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଉଦ୍ୟୋଗ ଜଗତରେ ଏବେ ଜେଏସଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବୟାନକୁ ନେଇ ଚର୍ଚ୍ଚା। ଉତ୍ତରିଧିକାରୀ ନ ହୋଇ ଆତ୍ମନିର୍ଭର ହେବାକୁ ପୁଅକୁ ପରାମର୍ଶ ଦେଲେ ସଜ୍ଜନ ଜିନ୍ଦଲ।
ପ୍ରତ୍ୟେକ ସଫଳ ବ୍ୟବସାୟ ସାମ୍ରାଜ୍ୟ ପଛରେ ଏକ କାହାଣୀ ରହିଛି। ଏହା କେବଳ ନିବେଶ ଏବଂ ଯୋଜନା ନୁହେଁ, ବରଂ ସେହି ବ୍ୟବସାୟିକ ପରିବାରର ଚିନ୍ତାଧାରା ଓ ମୂଲ୍ୟବୋଧ ଉପରେ ମଧ୍ୟ ଏହା ଆଧାରିତ। ଭାରତୀୟ ଶିଳ୍ପପତିମାନଙ୍କ ପରବର୍ତ୍ତୀ ପିଢ଼ି ନିଜ ପୈତୃକ ସମ୍ପତ୍ତିକୁ ନିବେଶ କରି ଏହାର ବୃଦ୍ଧି କରିବାରେ ଅଧିକ ଆଗ୍ରହ ଦେଖାଉଛନ୍ତି। ନିଜେ ରୋଜଗାର କରି ନିଜର ପରିଚୟ ସୃଷ୍ଟି କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ସଜ୍ଜନ ଜିନ୍ଦଲ।
ନିଜେ ବନାଅ ନିଜର ପରିଚୟ – ସଜ୍ଜନ ଜିନ୍ଦଲ
ଏକ ସାକ୍ଷାତକାରରେ ସଜ୍ଜନ ଜିନ୍ଦଲ କହିଛନ୍ତି “ହାର୍ଭାର୍ଡ ବିଶ୍ଵବିଦ୍ୟାଳୟରେ ପଢ଼ୁଥିବା ମୋର ପୁଅ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) କମ୍ପାନୀରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବା ନେଇ ମତେ କହିଥିଲା। ଏହାକୁ ନେଇ ମୁଁ ଆନନ୍ଦିତ ଥିଲି।”
ଏହା ଉପରେ ସେ ନିଜ ପୁଅକୁ ପରାମର୍ଶ ଦେଇ କହିଥିଲେ, “ମୁଁ ଚାହେଁ ତୁମେ ମୋର ରୋଜଗାରରୁ ନୁହେଁ, ବରଂ ତୁମର କଠିନ ପରିଶ୍ରମରୁ ରୋଜଗାର କରି ନିଜର ପରିଚୟ ସୃଷ୍ଟି କର।”
ସଜ୍ଜନ ଜିନ୍ଦଲଙ୍କ ମତରେ ସଫଳତା କେବଳ ବଂଶାନୁକ୍ରମିକ ଭାବରେ ମିଳିନଥାଏ। ଏହାକୁ ନିଜ କଠିନ ପରିଶ୍ରମ ଏବଂ ସଂଘର୍ଷ ଦ୍ୱାରା ହାସଲ କରିବାକୁ ପଡ଼ିଥାଏ।
ସେ ବିଶ୍ୱାସ କରନ୍ତି, ଯେ ପରବର୍ତ୍ତୀ ପିଢ଼ି କେବଳ ନିବେଶ କରିବା ଉଚିତ ନୁହେଁ ବରଂ କିଛି ନୂଆ ସୃଷ୍ଟି କରିବା ଉଚିତ। ଯେତେବେଳେ ଜଣେ ବ୍ୟକ୍ତି କଠିନ ପରିଶ୍ରମ ଦ୍ୱାରା କିଛି ହାସଲ କରେ, ସେତେବେଳେ ସେ ପ୍ରକୃତ ପରିଚୟ ସୃଷ୍ଟି କରିଥାଏ।
ସଜ୍ଜନ ଜିନ୍ଦଲ ତାଙ୍କ ପୁଅର ଦକ୍ଷତା ଉପରେ ବିଶ୍ୱାସ ରଖନ୍ତି। ଏନେଇ ସେ କହିଥିଲେ, “ଆମର ପରବର୍ତ୍ତୀ ପିଢ଼ି ଅଧିକ ବୁଦ୍ଧିମାନ, କିନ୍ତୁ ସେମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ମାଧ୍ୟମରେ ସଫଳତା ହାସଲ କରିବାକୁ ପଡ଼ିବ।”
ସେହିପରି ବ୍ୟବସାୟ ହେଉ କିମ୍ବା ପ୍ରଯୁକ୍ତିବିଦ୍ୟା, ସଜ୍ଜନ ଜିନ୍ଦଲ ଆତ୍ମନିର୍ଭରଶୀଳତାରେ ବିଶ୍ୱାସ କରନ୍ତି। ଏହାକୁ ଗୁରୁତ୍ଵ ଦେଇ ସେ କହିଥିଲେ, “ଭାରତରେ ମହିନ୍ଦ୍ରା ଏବଂ ଟାଟା ଭଳି ବଡ଼ ବ୍ରାଣ୍ଡ ଅଛି, ଯେଉଁମାନେ ନିଜର ବିଶ୍ୱସ୍ତରୀୟ ବୈଦ୍ୟୁତିକ ଯାନ ତିଆରି କରିପାରିବେ। ଏହି କମ୍ପାନୀଗୁଡ଼ିକ ଯାହା କରିପାରିବେ ତାହା ଟେସଲା କରିପାରିବ ନାହିଁ।”
ଜେଏସଡବ୍ଲୁ ଗ୍ରୁପ୍ ଭାରତର ଏକ ଅଗ୍ରଣୀ ବହୁମୁଖୀ କମ୍ପାନୀ। ଏହା ଇସ୍ପାତ, ଶକ୍ତି ଏବଂ ଉଦ୍ୟୋଗ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛି।
Tags: #SajjanJindal #EarnYourOwnMoney #Motivation #JSWGroup #NextGenLeaders