ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି, ସୋମବାର ଦିନ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚି ଥିଲେ। ପରେ ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ଼ ଯାଇଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ କରିବା ପରେ କାଳିଆପଲ୍ଲୀ ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ ଜିଲ୍ଲାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ଵାଇଁ ଏବଂ ନୟାଗଡ଼ ଜିଲ୍ଲାପାଳ ନୀଳମାଧବଙ୍କ ଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦର୍ଶନ ନିମନ୍ତେ ମନ୍ଦିର ସେବାୟତଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ନୀଳମାଧବଙ୍କ ଦର୍ଶନ ପରେ ରାଷ୍ଟ୍ରପତି କାଳିଆପଲ୍ଲୀ ଗାଁକୁ ଯାଇଥିଲେ। ସେଠାରେ ଶବର ରାଜା ବିଶ୍ଵାବସୁଙ୍କ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ। ପରେ ସେଠାରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ଵର ଫେରିଥିଲେ ରାଷ୍ଟ୍ରପତି। ରାଜଭବନରେ ସୋମବାର ରାତ୍ରିଯାପନ କରିବା ପରେ ମଙ୍ଗଳବାର ଦିନ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Tags: #PresidentDroupadiMurmu #KantiloNilamadhab #NayagarhVisit #Odisha