ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ସ୍ଵାସ୍ଥ୍ୟସେବାକୁ ଆହୁରି ବ୍ୟାପକ କରିବାକୁ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ। 

ଭାରତରେ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ନୂଆ ସ୍ୱାସ୍ଥ୍ୟସେବା ଅଭିଯାନ ‘ଆୟୁଷ୍ମାନ ଭବ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗୁଜରାଟର ଗାନ୍ଧୀନଗରସ୍ଥିତ ରାଜଭବନରୁ ଭର୍ଚୁଆଲ୍‌‌ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।

“ଆମ ଦେଶର ପରମ୍ପରାରେ ସବୁ ଲୋକଙ୍କ ସୁସ୍ଥ ଏବଂ ରୋଗମୁକ୍ତ ରହିବା ପାଇଁ ପ୍ରାର୍ଥନା କରାଯାଏ। ଭାରତର କୌଣସି ଗ୍ରାମ କିମ୍ବା ଅଞ୍ଚଳକୁ ସ୍ୱାସ୍ଥ୍ୟସେବାରୁ ବାଦ ଦିଆଯିବା ଉଚିତ ନୁହେଁ। ସମସ୍ତେ ସୁସ୍ଥ ରହିଲେ ଏକ ବିକଶିତ ଭାରତ ଗଠନ ପାଇଁ ଥିବା ଆମର ଦୃଷ୍ଟିକୋଣ ସଫଳ ହେବ”, କହିଛନ୍ତି ଦ୍ରୌପଦୀ ମୁର୍ମୁ।

ଏହି ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି। ଏଥିରେ ଦେଶରେ ଆୟୁଷ୍ମାନ ଭାରତ ଯୋଜନାରେ କିଛି ଅତିରିକ୍ତ ହିତାଧିକାରୀଙ୍କୁ ସାମିଲ କରାଯାଇ ସେମାନଙ୍କୁ ଆୟୁଷ୍ମାନ କାର୍ଡ ଦିଆଯିବ। ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ଓ ଅରୋଗ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଖାଦ୍ୟ ବଣ୍ଟାଯିବ। ଏହାସହ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ସଭାର ଆୟୋଜନ କରିବା

“ଆୟୁଷ୍ମାନ ଭବ ଏକ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ଅଭିଯାନ। ଦେଶର ପ୍ରତ୍ୟେକ ସହର ଓ ଗାଁରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ସଫଳତାକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଛି”, କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ।

ଆସନ୍ତା ସେପ୍ଟେମ୍ୱର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଠାରୁ ଆରମ୍ଭ କରି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ଆୟୁଷ୍ମାନ ଭବ ଅଭିଯାନ ଚାଲିବ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ସହ ମିଶି ଏହି ଅଭିଯାନକୁ ସଫଳ କରାଇବା ପାଇଁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର।

Tags: #AyushmaanBhavaCampaign #PresidentDroupadiMurmu #HealthCare #AyushmaanBharat #India

Comment