ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୨୮ ଜଣ ଭାରତୀୟ। ହସ ଖୁସିରେ ବୁଲିବାକୁ ଆସି ଶବ ହୋଇ ଫେରିଛନ୍ତି ବିଭିନ୍ନ ରାଜ୍ୟର ପର୍ଯ୍ୟଟକ।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ। ଏହି ଅମାନବୀୟ ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଉଛି। ଏହି ଆକ୍ରମଣ ଘଟଣା ପରେ ସାଉଦି ଆରବ ଯାତ୍ରାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧାରୁ ଫେରି ଆସିଛନ୍ତି। ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ମୋଦୀ କହିଛନ୍ତି।
ଏହାରି ମଧ୍ୟରେ ସୁରକ୍ଷା ଏଜେନ୍ସି ପକ୍ଷରୁ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କର ସ୍କେଚ୍ ଜାରି କରାଯାଇଛି। ଏମାନଙ୍କ ପରିଚୟ ମଧ୍ୟ ମିଳିଛି। ଏମାନେ ହେଲେ ଆସିଫ ଫୁଜି, ସୁଲେମାନ ଶାହ ଓ ଆବୁ ତଲହା। ଏମାନେ ‘ଲସ୍କର-ଏ-ତୋଇବା’ର ଛାମୁଆ ସଂଗଠନ ଟିଆରଏଫର ସଦସ୍ୟ। ଏହି ତିନି ଆତଙ୍କୀ ପୂର୍ବରୁ ପୁଞ୍ଚ୍ ଅଂଚଳରେ ସକ୍ରୀୟ ଥିଲେ। ଆତଙ୍କୀ ହମଲା କରି ଭୟର ବାତାବରଣ ସୃଷ୍ଟି କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଘଟଣାକୁ ଜମ୍ମୁ କଶ୍ମୀର ସରକାର ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ପହଞ୍ଚିବା ପରେ ଏନଏସଏ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଭାରତ ଆତଙ୍କବାଦୀ ଆକ୍ରମଣର କିଭଳି ଜବାବ ଦେବ ତା’ ଉପରେ ରହିଛି ସମସ୍ତଙ୍କ ନଜର।
Tags: #TerroristAttack #Pahalgam # Sketch #Tourists #JammuKashmir #India

















