ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହାର ମୁକାବିଲା କରିବା ସହ ଏକ ସୁସ୍ଥ ଏବଂ ସୁନ୍ଦର ଭବିଷ୍ୟତ ଗଠନ ପାଇଁ ଯୁବପିଢ଼ି ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି। ଓଡ଼ିଶା ଏଥିପାଇଁ ମଞ୍ଚ ପ୍ରସ୍ତୁତ କରୁଛି।
ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଉପରେ ପଡ଼ୁଥିବା ଏହାର ପ୍ରଭାବ ସମ୍ପର୍କ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରଠାରେ ଆସନ୍ତା ଅଗଷ୍ଟ ୧୦ରୁ ୧୨ ତାରିଖ ଯାଏଁ ଆୟୋଜିତ ହେବାକୁ ଯାଉଛି ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୫’।
ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ଆୟୋଜିତ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ (ଓକୟ)। ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ମାସରେ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ କନଫରେନ୍ସ-୩୦ର ଏକ ଆଞ୍ଚଳିକ କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯାଉଛି।
“ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ କେବଳ ଏକ ସମ୍ମିଳନୀ ନୁହେଁ – ଏହା ଯୁବପିଢ଼ିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଅଭିଯାନ। ମାତ୍ର ଦୁଇ ବର୍ଷ ମଧ୍ୟରେ, ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ଯୁବକ ଯୁବତୀ ଜଳବାୟୁ, ଜଳ, ପରିମଳ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବା ଏବଂ ଜଳବାୟୁ ନେତା ହେବା ପାଇଁ ଏକାଠି ହୋଇଛନ୍ତି। ସେମାନଙ୍କର ଶକ୍ତି, ସୃଜନଶୀଳତା ଏବଂ ପ୍ରତିବଦ୍ଧତା ସମଗ୍ର ମାନବ ସମାଜକୁ ଜଳବାୟୁ ପରିବର୍ତ୍ତନ ବିଷୟରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି। ପରିବେଶ ସୁରକ୍ଷା ଦିଗରେ ତୃଣମୂଳ ସ୍ତରରେ କାମ କରୁଥିବା ଯୁବଗୋଷ୍ଠୀଙ୍କ ବାର୍ତ୍ତା ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ କନଫରେନ୍ସ ଭଳି ବିଶ୍ୱସ୍ତରୀୟ ସମ୍ମିଳନୀକୁ କିପରି ଯିବ ତାହା ଏହି ଅଭିଯାନର ଲକ୍ଷ୍ୟ ରହିଛି”, କହିଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା।
ୟୁଥ ଫର ୱାଟର ପ୍ଲସ ସମ୍ପର୍କରେ ସିପ୍ରା ସକ୍ସେନା କହିଛନ୍ତି, “ଜଳବାୟୁ ପରିବର୍ତ୍ତନ ଏବଂ ସ୍ଵଚ୍ଛତା ଓ ପରିଚ୍ଛନ୍ନତା କ୍ଷେତ୍ରରେ ଯୁବପିଢ଼ିଙ୍କୁ ଏକାଠି କରିବା ପାଇଁ ୟୁଥ ଫର ୱାଟର ପ୍ଲସ ଏକ ସରଳ ଅଭିଯାନ ଭାବେ ଆରମ୍ଭ ହୋଇଥିଲା। ଆଜି ଏହା ସାରା ଓଡ଼ିଶାରେ ୬୦ରୁ ଅଧିକ ଅଂଶୀଦାର ଏବଂ ୫ ଲକ୍ଷରୁ ଅଧିକ ଯୁବ ପରିବର୍ତ୍ତନକାରୀଙ୍କ ସହିତ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଯୁବ ଚାଳିତ ଅଭିଯାନର ନେତୃତ୍ୱ ନେବାଠାରୁ କୋପ ଭଳି ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ସ୍ୱର ଉଠାଇବା ପର୍ଯ୍ୟନ୍ତ, ଏହି ଯାତ୍ରା ଦର୍ଶାଉଛି ଯେ ଯୁବପିଢ଼ିଙ୍କୁ ବିଶ୍ୱାସ ଓ ସମର୍ଥନ କଲେ କୌଣସି କାର୍ଯ୍ୟ ଅସମ୍ଭବ ହୋଇନଥାଏ।”

ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ, ଯୁବପିଢ଼ିଙ୍କ ଭୂମିକା, ମିଳିତ ଜାତିସଂଘ ଏବଂ ସରକାରଙ୍କ ବିଭିନ୍ନ ନୀତି ତଥା ଆଗାମୀ ନଭେମ୍ବର ମାସରେ ବ୍ରାଜିଲରେ ଆୟୋଜନ ସିଓପି ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ଆଦି ବିଷୟରେ ଆଲୋଚନା କରାଯିବ।
ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫୦ ଜଣ ଯୁବକଯୁବତୀ ଅଂଶଗ୍ରହଣ କରିବେ। ସେମାନେ ଜାତୀୟ ଓ ଅନ୍ତର୍ଜାତୀୟ ବିଷେଜ୍ଞମାନଙ୍କ ସହ ଜଳବାୟୁ ପରିବର୍ତ୍ତନକୁ ନେଇ ଆୟୋଜିତ ବିଭିନ୍ନ ଆଲୋଚନାଚକ୍ର ଓ କର୍ମଶାଳାରେ ଯୋଗ ଦେବେ।
ସାରା ବିଶ୍ୱର ଜନସମୁଦାୟ ପାଇଁ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ଲାଗି ମିଳିତ ଜାତିସଂଘ ପକ୍ଷରୁ ୧୭ଟି ପ୍ରମୁଖ ଲକ୍ଷ୍ୟକୁ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ବା ଏସଡିଜି ଭାବେ ଚିହ୍ନଟ କରାଯାଇଥିଲା। ତା’ ଭିତରେ ଲକ୍ଷ୍ୟ-୬ରେ ‘ବିଶୁଦ୍ଧ ପାଣି ଓ ପରିମଳ’ ଏବଂ ଲକ୍ଷ୍ୟ-୧୩ରେ ‘ଜଳବାୟୁ ସ୍ଥିତି’ ରହିଥିଲା। ଏହି ଲକ୍ଷ୍ୟ ପୂରଣ ପାଇଁ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଦୁଇବର୍ଷର ସଫଳତା ପରେ ଚଳିତ ବର୍ଷ ତୃତୀୟ ଥର ପାଇଁ ଓକୟର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ପାର୍ଟନର ରହିଛନ୍ତି ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫଆଇ ଫାଉଣ୍ଡେସନ।
ଏହି ଯୁବ ସମ୍ମିଳନୀରେ ଯୋଡ଼ି ପାଇଁ ଆଗ୍ରହୀ ଯୁବକଯୁବତୀମାନେ https://forms.gle/3zDbsmQDVi5xznCg7 ଏହି ଲିଙ୍କରେ କ୍ଲିକ୍ ପଞ୍ଜିକରଣ କରିପାରିବେ।
Tags: #OdishaConferenceOfYouth2025 #ClimateChangeAndEnvironment #UNICEF #Youth4WaterPlus


















