କପିଳାସ ଭୂୟାଁ

ଅସୀମ ବସୁ, ଓଡ଼ିଶାର କଳା ସଂସ୍କୃତି କ୍ଷେତ୍ରରେ ଏକ ବହୁ ପରିଚିତ ନାଁ। ଆଜି ଥିଲା ତାଙ୍କର ୯୩ତମ ଜନ୍ମ ଜୟନ୍ତୀ।

ଏହି ଅବସରରେ ଆଜି ସକାଳେ ସେହି ବିଶିଷ୍ଟ ଚିତ୍ରଶିଳ୍ପୀ, ମଞ୍ଚ-ମଣିଷ, ନାଟ୍ୟକାର, ନାଟକ ଓ ଚଳଚ୍ଚିତ୍ର ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ସୁଲେଖକ ତଥା ସ୍ତମ୍ଭକାର ଅସୀମ ବସୁ, ଆମର ପ୍ରିୟ ଅସୀମ ଦା’ ‘ରବୀନ୍ଦ୍ର ମଣ୍ଡପ’ ସମ୍ମୁଖରେ ଯେଉଁଠିକୁ ପ୍ରତିଦିନ ଆସୁଥିଲେ, ବସୁଥିଲେ, ଚା’ ପିଉଥିଲେ, ନାଟକ, ସାହିତ୍ୟ ଓ କଳା ସମ୍ପର୍କରେ ଆଲୋଚନା ତଥା ଖଟି କରୁଥିଲେ, ସେଇ ସ୍ଥାନରେ ତାଙ୍କର ୯୩ତମ ଜନ୍ମ ଜୟନ୍ତୀ ପାଳନ ତଥା ‘ଅସୀମ ଦା’ ଖଟି’ର ନାମକରଣ ସହ ଅସୀମ ଦା’ଙ୍କର ଚିତ୍ରରୂପ ସ୍ଥାପନ କରାଗଲା।

ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ପରିସର ମଧ୍ୟରେ ସ୍ଥାପନ କରାଯାଇଥିବା ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରାଗଲା। ଉଲ୍ଲେଖନୀୟ କି ଏହି ସମସ୍ତ କାର୍ଯ୍ୟକ୍ରମ ତାଙ୍କ ନାମରେ ନାମିତ ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଥିଲା।

ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଖଟି ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଖଟିରେ ବିଭିନ୍ନ ମତବାଦର ଓ ବିଭିନ୍ନ ବର୍ଗର ଲୋକମାନେ ଏକାଠି ହୁଅନ୍ତି। ଚଳନ୍ତି ସମାଜର ନାନାଦି ଦିଗ ସମ୍ପର୍କରେ ଆଲୋଚନା କରନ୍ତି – ସାଧାରଣ କଥାବାର୍ତ୍ତାରୁ ଘମାଘୋଟ ତର୍କବିତର୍କ ହୁଏ। ସେଥିରୁ ସାର୍ବଜନୀନ ତତ୍ତ୍ୱ ମଧ୍ୟ ଉତ୍ପନ୍ନ ହୁଏ।

ଖଟିର ଅଂଶୀଦାରମାନେ ସେମାନଙ୍କର ନିଜନିଜ କ୍ଷେତ୍ରରେ କରୁଥିବା କାର୍ଯ୍ୟକୁ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ପ୍ରଭାବିତ କରିଥାଏ। ଏହି ପ୍ରଭାବ ଏକ ସୁସହଂତ ଧାରା ବି ସୃଷ୍ଟି କରିପାରେ। ବିଭିନ୍ନ ସମୟରେ କବି, ଲେଖକ, ଚିତ୍ରଶିଳ୍ପୀ ଓ ସଂଗୀତକାର ଆଦିଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବାର ଲକ୍ଷ କରାଯାଇଛି। ସେହିଭଳି ଏକ ଖଟି ସଂସ୍କୃତିର ବାହକ ଥିଲେ ଅସୀମ ବସୁ।

ଅସୀମ ଦା’ ଭାବେ ଲୋକପ୍ରିୟ ଅସୀମ ବସୁଙ୍କର ଜନ୍ମ ୧୫ ଅକ୍ଟୋବର ୧୯୩୩ରେ ଲକ୍ଷ୍ମୀ ପୂଜା ବା କୁମାର ପୂର୍ଣ୍ଣିମା ଦିନ, ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ କଖଡ଼ା ଗାଁରେ। ଓଡ଼ିଶାରେ ସ୍ୱାଧୀନ ଭାବରେ କଳା ଓ ନାଟ୍ୟ ସଂଗଠନ କ୍ଷେତ୍ରରେ କାର୍ଯ୍ୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ତିରୋଧାନ ହେଲା ୧ ଫେବ୍ରୁଆରି ୨୦୧୭ ସରସ୍ଵତୀ ପୂଜା ଦିନ।

ମଞ୍ଚ ଓ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶନା, ଅକ୍ଷରକୁ ଛବି କରି ପାରିବାର ଦକ୍ଷତା ସହ ପୁସ୍ତକ ଓ ପତ୍ରପତ୍ରିକାର ପ୍ରଚ୍ଛଦ ଅଙ୍କନ, ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି, ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ଏବଂ ନାଟ୍ୟ ନିର୍ଦ୍ଦେଶନା ଆଦି କ୍ଷେତ୍ରରେ ଅସୀମ ଦା’ଙ୍କ ଅବଦାନ ଓ ବିଶେଷତ୍ୱ ସର୍ବ ସ୍ୱୀକୃତ। ଏହା ବ୍ୟତୀତ ସେ ଜଣେ ସୁଖ୍ୟାତ ଲେଖକ ଓ ସ୍ତମ୍ଭକାର।

ବହୁ ସମ୍ମାନ ଓ ପୁରସ୍କାର ବିଜେତା ଅସୀମ ବସୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୯), କଳା ନିର୍ଦ୍ଦେଶନା ନିମନ୍ତେ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ (୨୦୦୩) ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ (୨୦୧୦) ମଧ୍ୟ ଲାଭ କରିଥିଲେ।

ଜୀବନର ପ୍ରମୁଖ କର୍ମକ୍ଷେତ୍ର ‘ରବୀନ୍ଦ୍ର ମଣ୍ଡପ’ ସମ୍ମୁଖ ଏହି ସ୍ଥାନ ଥିଲା ଅସୀମ ଦା’ଙ୍କର ପ୍ରିୟ ଖଟି।

(ଉପସ୍ଥାପକ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ)

Tags: #AshimDaKhati #EminentActorDirector #OdiaCineIndustry #BirthAnniversary

Comment