ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ‘ଏଇ ଝୁମାଝୁମା ଗୋଲାପୀ ବେଳାରେ’ ହେଉ କି ‘ଏଇ ଯେ ବନଲତା ପାହାଡ଼’ ପରି ବହୁ ସୁପରହିଟ୍‌ ସଙ୍ଗୀତର ସୁରକାର ଥିଲେ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ। ଓଡ଼ିଆ ସିନେ ଜଗତକୁ ଅନେକ ଚିର ସବୁଜ ଗୀତ ଭେଟି ଦେଇଥିବା ଏହି ସଙ୍ଗୀତ ଜାଦୁଗରଙ୍କ ସ୍ଵର ଆଜି ନିରବି ଯାଇଛି। ଗୁରୁବାର ବାରିପଦା ବଡ଼ବଜାରସ୍ଥିତ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।

ସ୍ଵର୍ଗତ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଟି ବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ। ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପ୍ରଭାବିତ କରିଥିଲା। ତେଣୁ ତାଙ୍କ ନିର୍ଦ୍ଦେଶିତ ଗୀତଗୁଡ଼ିକରେ ଗାଁମାଟିର ପ୍ରଭାବ ଦେଖିବାକୁ ମିଳେ।୧୯୫୮-୫୯ ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ। ୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ସୁଯୋଗ ଦେଇଥିଲେ ପ୍ରଯୋଜକ ଗଣେଶ ଚନ୍ଦ୍ର ଜିଉ। ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ‘ଅଭିମାନ’ର ପ୍ରତିଟି ଗୀତ ସୁପରହିଟ୍‌ ହୋଇଥିଲା, ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଅନେକ କାଳଜୟୀ ସଙ୍ଗୀତର ସ୍ଵର ସଂଯୋଜନା ଓ ନିର୍ଦ୍ଦେଶନା ଧାରା।

ଓଡ଼ିଆ ସଙ୍ଗୀତ ଦୁନିଆକୁ ସରୋଜଙ୍କ ଅବଦାନ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜ ସଙ୍ଗୀତ ଦ୍ଵାରା ସ୍ଵତନ୍ତ୍ର ସ୍ଥାନ ବନାଇଥିଲେ ସରୋଜ ପଟ୍ଟନାୟକ। ‘ଏଇ ଯେ ବନଲତା ପାହାଡ଼’, ’ତୋ ବିନା ଲାଗେନା ଭଲ କିଛି’, ‘ଏଇ ଝୁମା ଝୁମା ଗୋଲାପୀ ବେଳାରେ’, ‘ଭସା ମେଘ ମୁଁ ଯେ ଭାସିଯାଏ ଦୂରେ’, ‘ଏଇ ମନକୁ ଭୁଲାଇ ରଖିଥିଲି ସଜାଇ’, ‘ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ’, ‘ଚିକି ମିକିଆ ଯଉବନ ଜହ୍ନ ରାତି’ ଆଦି ତାଙ୍କର କାଳଜୟୀ ସଙ୍ଗୀତ ଶ୍ରୋତାଙ୍କୁ ମତୁଆଲା କରିଥିଲା।ଚଳଚ୍ଚିତ୍ର ସହ ବିଭିନ୍ନ ନାଟକ, ଟିଭି ସିରିଏଲ, ଟେଲିଫିଲ୍ମ ଆଦିରେ ସରୋଜ ନିଜର ସଙ୍ଗୀତର ଯାଦୁ ଦେଖାଇଥିଲେ। ‘ଫୁଲ ଚନ୍ଦନ’ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ଅନ୍ୟ ୩ଟି ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।ବୃତ୍ତିରେ ସେ ଜଣେ ସିଭିଲ୍ ଇଞ୍ଜିନିୟର ଥିଲେ ମଧ୍ୟ, ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଅଭିଳାଷା ଥିଲା। ତେଣୁ ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ମନଛୁଆଁ ସଙ୍ଗୀତଗୁଡ଼ିକର ନିର୍ଦ୍ଦେଶନା ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ତାଙ୍କର ପ୍ରତିଟି ଗୀତ ଅଗଣିତ ଶ୍ରୋତାମାନଙ୍କୁ ବିମୋହିତ କରିଥିଲା। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି ହୋଇଛି।

Comment