ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ଲଭ୍‍ ପାଇଁ କୁଛ୍‍ ଭି କରେଗା’ ମୁକ୍ତିଲାଭ କରିବାର ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ସୁପ୍ରିୟା ନାୟକ ପୁଣିଥରେ ଫେରିଛନ୍ତି ଓଡ଼ିଆ ସିନେଜଗତକୁ। ମୁନ୍‌ସାଇନ୍‍ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ସିନେମା ‘ଓନ୍‌ଲି ପ୍ୟାର୍‌’ରେ ବାବୁସାନଙ୍କ ବିପକ୍ଷରେ ଏଥର ସେ ପରଦା ଉପରେ କରିବେ ରୋମାନ୍‌ସ ଓ କମେଡି। ସିନେମାର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଥିବା ବେଳେ ମେଲୋଡି କିଙ୍ଗ୍‍ ଅଭିଜିତ ମଜୁମଦାର ଏହାର ସଙ୍ଗୀତକୁ ସ୍ୱର ଦେଇଛନ୍ତି। ଏହି ଚଳଚ୍ଚିତ୍ରର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋ‍ଇଥିବାବେଳେ ଏହାର ସୁଟିଂ ବାଙ୍ଗାଲୋରରେ ହେବାର ଯୋଜନା ଅଛି।
“ଓନ୍‌ଲି ପ୍ୟାର୍‌ ଚଳଚ୍ଚିତ୍ରରେ ମୁଁ ଏକ ଚୁଲବୁଲି ଝିଅର ଭୂମିକାରେ ଅଭିନୟ କରିବି। ସାଧାରଣତଃ ବାବୁସାନଙ୍କ ସିନେମାରେ କମେଡି ଥିଲେ ମଧ୍ୟ ଏହି ସିନେମାରେ କାହାଣୀ ଅଧିକ ମଜବୁତ ଅଛି। ପ୍ରତିଥର କିଛି ନୂଆ ଢଙ୍ଗରେ ସିନେମାକୁ ଦର୍ଶକଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାର ଏକ ଅଭିନବ ପାରଦର୍ଶିତା ତାପସ ସାର୍‌ଙ୍କଠାରେ ଦେଖିବାକୁ ମିଳିଥାଏ”, କହିଛନ୍ତି ସୁପ୍ରିୟା।
‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ ସିନେମାରେ ମଧ୍ୟ ସୁପ୍ରିୟା ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ। ତାଙ୍କ ସହିତ କାମ କରିବା ନେଇ ସେ କୁହନ୍ତି, “ବାବୁସାନଙ୍କ ସହ କାମ କରିବା ସମୟରେ ସେ ବହୁତ ସାହାଯ୍ୟ କରିଥା’ନ୍ତି। ମନେହୁଏ ନାହିଁ, ଜଣେ ସୁପରଷ୍ଟାରଙ୍କ ସହ ମୁଁ କାମ କରୁଛି।”
ସୁପ୍ରିୟା ଆହୁରି ମଧ୍ୟ କହିଛନ୍ତି ଯେ ଭଲ ସିନେମାରେ ଅଭିନୟ କରିବା ଆଶାରେ ପ୍ରାୟ ଏକ ବର୍ଷ ଧରି ସେ ସିନେମା କରିନଥିଲେ। ଓଡ଼ିଆ ସିନେଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ତିଆରି ହେଉଥିବା ସିନେମାଠାରୁ ‘ଓନ୍‌ଲି ପ୍ୟାର୍‌’ ସମ୍ପୂର୍ଣ୍ଣ ଭିନ୍ନ। ଏହାର କାହାଣୀ ସମେତ ସିନେମାର ଶୈଳୀ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସୁପ୍ରିୟା ଆଶାବାଦୀ ଅଛନ୍ତି। ଗତ ଏକବର୍ଷ ମଧ୍ୟରେ ରିଲିଜ୍‍ ହୋ‍ଇଥିବା ସିନେମାଗୁଡ଼ିକ ମଧ୍ୟରୁ ‘ହିରୋ ନମ୍ବର ୧’ରେ ବାବୁସାନଙ୍କ ଓକିଲ ଭୂମିକା ଓ ‘ଅଭୟ’ରେ ଅନୁଭବଙ୍କ ଷ୍ଟାଇଲ୍‍ ତାଙ୍କୁ ବହୁତ ପସନ୍ଦ ଆସିଛି ବୋଲି ସେ କହିଛନ୍ତି।
ପଞ୍ଜାବସ୍ଥିତ ଲଭ୍‌ଲି ୟୁନିଭର୍ସିଟିରେ ସୁପ୍ରିୟା ଜର୍ଣ୍ଣାଲିଜିମ୍‍ ଓ ଫିଲ୍ମ ପ୍ରଡକ୍ସନରେ ପାଠ୍ୟରତ। ଭବିଷ୍ୟତରେ ମିସ୍‍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବା ପାଇଁ ମଧ୍ୟ ସେ ଇଛୁକ। ସୁନ୍ଦରୀ ପ୍ରତିଯୋଗିତା ହେଉ ଅଥବା ସିନେମାରେ ଅଭିନୟ, ଗ୍ଲାମର ଜଗତ ସହ ଜଡ଼ିତ ହୋ‍ଇରହିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।
‘ଓନ୍‌ଲି ପ୍ୟାର୍‌’ ସିନେମା ମକର ସଂକ୍ରାନ୍ତି ଅବସରରେ ଆସନ୍ତା ଜାନୁଆରି ମାସରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Comment