ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିମୁଦ୍ରୀକରଣ ପରେ ଆୟକର ବିଭାଗ ପକ୍ଷରୁ ଅନ୍ୟ ଏକ ପ୍ରଭାବଶାଳୀ ପଦକ୍ଷେପ। ନୋଟବନ୍ଦୀ ପରେ ଯେଉଁମାନେ ନିଜ ବ୍ୟାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି ଅଥଚ ନିର୍ଦ୍ଧାରିତ ସମୟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ସେମାନଙ୍କ ପାଖକୁ ନୋଟିସ ପଠାଯାଇଛି।

ଆୟକର ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କୁହାଯାଉଛି ବିମୁଦ୍ରୀକରଣ ପରେ ଏହା ହେଉଛି ସବୁଠାରୁ ଅଧିକ ପ୍ରଭାବଶାଳୀ ପଦକ୍ଷେପ।

ନୋଟବନ୍ଦୀ ପରେ ଯେଉଁମାନେ ନିଜ ବ୍ୟାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି ଅଥଚ ନିର୍ଦ୍ଧାରିତ ସମୟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ସେମାନଙ୍କ ପାଖକୁ ନୋଟିସ ପଠାଯାଇଛି। ଏହିଭଳି ନୋଟିସ ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୧୬ ଲକ୍ଷ। ଏଥିରେ କିଛି କମ୍ପାନୀ ମଧ୍ୟ ରହିଛନ୍ତି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ର ଏହି ସୂଚନା ଦେଇଛନ୍ତି।

ଏହାଛଡ଼ା ଯେଉଁମାନେ ବ୍ୟାଙ୍କରେ ବିପୁଳ ଅର୍ଥ ଜମା କରିଛନ୍ତି ଓ ରିଟର୍ଣ୍ଣ ଦାଖଲ କରିସାରିଛନ୍ତି ସେମାନଙ୍କ କାରବାର ସମ୍ପର୍କରେ ମଧ୍ୟ ଯାଞ୍ଚ ହେଉଛି।

ସୂଚନା ଦିଆଯାଇ ପାରେ ଯେ ନୋଟ ବନ୍ଦୀ ପରେ ଅଢେ଼ଇ ଲକ୍ଷ ପର୍ଯ୍ୟନ୍ତ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଜମା କରିଥିବା ବ୍ୟକ୍ତିଙ୍କ ମାମଲାର ଯାଞ୍ଚ ହେବ ବୋଲି ସରକାର ଘୋଷଣା କରିଥିଲେ।

ଯେଉଁମାନେ ଟଙ୍କା ଜମା କରିଥିଲେ ଅଥଚ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଆଗେଇ ଆସିନାହାନ୍ତି ସେମାନଙ୍କୁ ଦୁଇଟି ବିଭାଗରେ ବଣ୍ଟା ଯାଇଛି। ଗୋଟିଏ ଶ୍ରେଣୀ ୨୫ ଲକ୍ଷରୁ ଅଧିକ ଓ ଅନ୍ୟ ଶ୍ରେଣୀଟି ୧୦ରୁ ୨୫ ଲକ୍ଷ ଭିତରେ। ତଟକା ଜାରି କରାଯାଇଥିବା ନୋଟିସ ଅନୁସାରେ ୩୦ ଦିନ ଭିତରେ ରିଟର୍ଣ୍ଣ ଦାଖଲ କରିବାକୁ ହେବ।

ସିବିଡିଟିର ତଥ୍ୟ ଅନୁଯାୟୀ ନୋଟବନ୍ଦୀ ପରେ ପ୍ରାୟ ୧୮ ଲକ୍ଷ ସନ୍ଦେହ ଜନକ ମାମଲା ସାମ୍ନାକୁ ଆସିଛି। ଏହି ସନ୍ଦେହଜନକ କାରବାରର ପରିମାଣ ପ୍ରାୟ ୩.୭୦ ଲକ୍ଷ କୋଟି ଟଙ୍କା।

ଅନ୍ୟ ଏକ ଖବର ଅନୁସାରେ ଆସନ୍ତା ଜାନୁଆରୀ ମାସରୁ ଏହି ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ପୂରା ଯାଞ୍ଚ କରାଯାଇ ବିଧିବଦ୍ଧ ଭାବେ ମାମଲା ରୁଜୁ ହେବ। ସବୁ ଆୟକର ବିଭାଗ କର୍ମଚାରୀଙ୍କୁ ଡିସେମ୍ବର ୩୧ ସୁଦ୍ଧା ଯାଞ୍ଚ କାମ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସିବିଡିଟି ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ଆୟକର ଆଇନର ବିଭିନ୍ନ ଧାରା ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ବିଭାଗ ପକ୍ଷରୁ  ଜମାକାରୀ ମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ତେବେ କଳାଧନ ଜମାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେତେ ଦୂର ସଫଳ ହୋଇପାରୁଛି ତାହା ଦେଖାଯିବା ଦରକାର। ଏ ନେଇ ବିଭିନ୍ନ ସ୍ତରରେ ଭିନ୍ନଭିନ୍ନ ଧରଣର ଆଲୋଚନା ହେଉଛି। ତେଣେ ସୁପ୍ରିମକୋର୍ଟ ସରକାରଙ୍କ ଏହି କଳାଧନ ସମ୍ପର୍କିତ ପଦକ୍ଷେପକୁ ସମର୍ଥନ କରିଥିବା ବେଳେ ଜମାକାରୀଙ୍କୁ ଅଯଥା ଭୟଭୀତ ନ କରିବା ପାଇଁ କହିଛନ୍ତି।

ଇତି ମଧ୍ୟରେ ଅନ୍ୟ ଏକ ଘଟଣାକ୍ରମରେ ପୁଣି ଥରେ ପୁରୁଣା ନୋଟ ବଦଳାଇବା ସମ୍ଭାବନା ତୁଟି ଯାଇଛି। ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଏବେ ଆଉ ସମ୍ଭବ ନୁହେଁ।

LEAVE A REPLY

Please enter your comment!
Please enter your name here