ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥ ମନ୍ତ୍ରୀ ବୁଧବାର ଦିନ କେନ୍ଦ୍ର ବଜେଟ୍‌ରେ ବ୍ୟକ୍ତିଗତ ଆୟକର ଉପରେ ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ବଜେଟ୍ ଅନୁଯାୟୀ ଏବେ ବ୍ୟକ୍ତିଗତ ଆୟକାରୀଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି କର ଦେବାକୁ ପଡ଼ିବ ନାହିଁ।

ଅର୍ଥାତ୍ ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ ଏହି ରିବେଟ ସୀମାକୁ ୫ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ କେବଳ ନୂଆ ଆୟକର ହିସାବ ବା ରେଜିମ୍ ଲାଗି ଏହା ଲାଗୁ ହେବ। ଅର୍ଥାତ ପୁରୁଣା ଟ୍ୟାକ୍ସ ରେଜିମରେ ଆୟକର ରିହାତି ସୀମା ଏବଂ ସ୍ଳାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ସେହିପରି ନିର୍ମଳା ସୀତାରମଣ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୨୦ ବଜେଟ୍‌ରେ  କେନ୍ଦ୍ର ସରକାର ନୂଆ ଓ ପୁରୁଣା ଆୟକର ଧାରା ଭାବରେ ଆୟକର ହିସାବ ଲାଗି ବ୍ୟବସ୍ଥା କରିଥିଲେ। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷଠାରୁ ମୁଖ୍ୟତଃ ନୂଆ ଧାରା ବା ନିଉ ଟ୍ୟାକ୍ସ ରେଜିମ୍ ଅନୁଯାୟୀ ଆୟକରଦାତାମାନଙ୍କୁ ନିଜର କର ହିସାବ କରିବାକୁ ସରକାର ଉତ୍ସାହିତ କରିବେ। ଏଥିପାଇଁ ଆୟକର ବିଭାଗ ପୋର୍ଟାଲରେ ନିଉ ରେଜିମକୁ ‘ଡିଫଲ୍ଟ’ ରଖାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ବ୍ୟକ୍ତିଗତ ଆୟକରଦାତାଙ୍କ କ୍ଷେତ୍ରରେ ରିବେଟ ପରିମାଣରୁ ଅଧିକ ଆୟ  ହୋଇଥିଲେ ବିଭିନ୍ନ ସ୍ଲାବ ଅନୁଯାୟୀ ଆୟକର ହିସାବ କରାଯିବ। ଏହି ହିସାବ ବେଳେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଲାଗି କୌଣସି କର ଦେବାକୁ ପଡ଼ିବ ନାହିଁ। ୩ରୁ ୬ ଲକ୍ଷ ଟଙ୍କାର ଆୟ ଉପରେ ୫%, ୬ରୁ ୯ ଲକ୍ଷ ଉପରେ ୧୦%, ୯ରୁ ୧୨ ଲକ୍ଷ ଉପରେ ୧୫%, ୧୨ରୁ ୧୫ ଲକ୍ଷ ଉପରେ ୨୦% ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦%  କର ଦେବାକୁ ପଡ଼ିବ।

ସେହିପରି ଆଗରୁ ଆୟକରଦାତାମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ରହିଥିଲା ୫୦ ହଜାର ଟଙ୍କା। ଚଳିତ ବଜେଟ୍‌ରେ ଏହାକୁ ୫୨ହଜାର ୫ ଶହ ଟଙ୍କାକୁ ଏହାକୁ ବୃଦ୍ଧି କରାଯାଇଛି। କୌଣସି ଆୟକରଦାତାଙ୍କ କ୍ଷେତ୍ରରେ ତାଙ୍କର ବାର୍ଷିକ ମୋଟ ଆୟରୁ ପ୍ରଥମେ ଏହି ପରିମାଣକୁ ବାଦ୍ ଦେଇ ଆୟକର ହିସାବ କରାଯାଇଥାଏ।

ସେହିପରି ସେକ୍ସନ ୮୦ସି ଅନୁଯାୟୀ ବିଭିନ୍ନ ଦୀର୍ଘକାଳୀନ ନିବେଶ (ଯେପରିକି ଜୀବନ ବୀମା, ଇପିଏଫ୍, ପିପିଏଫ୍, ଇଏଲଏସଏସ୍, ଗୃହ ଋଣ ବାବଦ ମୂଳ ପରିଶୋଧ ବାବଦ, ପିଲାଙ୍କ ପାଠପଢ଼ା ଲାଗି ଟ୍ୟୁସନ୍ ଫି’ ବାବଦ) ଉପରେ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଆୟକର ଲାଗୁ ହୋଇନଥାଏ। ଚଳିତ ବଜେଟ୍‌ରେ ଅର୍ଥ ମନ୍ତ୍ରୀ ଏ ବିଷୟରେ ପରିବର୍ତ୍ତନର କୌଣସି ସୂଚନା ଦେଇନାହାନ୍ତି। ଏହା ଛଡ଼ା ନିଜର ତଥା ପିତାମାତାଙ୍କ ସ୍ଵାସ୍ଥ୍ୟ ବୀମା ଲାଗି ଆୟକର ନିୟମରେ ବ୍ୟବସ୍ଥା ରହିଛି। ତେବେ ଏହି ଛାଡ଼ କେବଳ ପୁରୁରା ଟ୍ୟାକ୍ସ ରେଜିମ୍ ହିସାବ ବେଳେ ବିଚାରକୁ ନିଆଯାଇଛି।

Tags: #Budget2023 #UnionFinanceMinister #NirmalaSitaraman #IncomeTax #Tax

Comment