ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଦାନ ହେଲା ୪୦ତମ ଶାରଳା ପୁରସ୍କାର। ଚଳିତ ବର୍ଷ ଓଡ଼ିଶା ସାହିତ୍ୟିକ ଡକ୍ଟର ପ୍ରଦୀପ ଦାଶ ପାଇଲେ ଶାରଳା ପୁରସ୍କାର। ‘ଚରୁ ଚୀବର ଏବଂ ଚର୍ଯ୍ୟା’ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ଏହା ବ୍ୟତୀତ ବାଦ୍ୟକାର ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ଇଲା ପଣ୍ଡା ସଂଗୀତ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରଶିଳ୍ପ ସମ୍ମାନରେ ସମ୍ମାନିତ କରାଯାଇଛି। ଏମାନଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।
୧୯୭୯ ମସିହାରୁ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡା ଓ ତାଙ୍କ ପତ୍ନୀ ସ୍ୱର୍ଗତ ଇଲା ପଣ୍ଡା ବାର୍ଷିକ ଶାରଳା ପୁରସ୍କାରକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ୍)ପକ୍ଷରୁ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ, ଇମ୍ପାକ୍ଟ୍ ହେଉଛି ‘ଇମ୍ଫା’ କମ୍ପାନିର ଏକ ଚାରିଟେବଲ ୱିଙ୍ଗ୍।